ଉତ୍ତରପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସୁଲତାନପୁରରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭାରତୀୟ ବାୟୁସେନାର ବିମାନ ସୀ-୧୩୦ଜେ ସୁପର ହରକ୍ୟୁଲିସରେ ମୋଦୀ ସୁଲତାନପୁରର କରବଲଖୀରୀ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଅବତରଣ କରିଥିଲେ ।
ଏହି ଅବସରରେ ମୋଦୀ କହିଛନ୍ତି ଯେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ ହେବ । ପୂର୍ବାଞ୍ଚଳ ଏକ୍ସପ୍ରେସୱେରୁ ଉତ୍ତରପ୍ରଦେଶର ସାମର୍ଥ୍ୟକୁ ଅନୁମାନ କରିହେବ । ଏହା ଆଧୁନିକ ଉତ୍ତରପ୍ରଦେଶର ପ୍ରତିବିମ୍ବ । ପୂର୍ବରୁ ଥିବା ସରକାରମାନେ ରାଜ୍ୟର ବିକାଶ କଥା ଚିନ୍ତା କରୁନଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସେମାନଙ୍କ ପରିବାର ଯାଏଁ ଥିଲା । ରାଜ୍ୟକୁ ରାସ୍ତା ନଥିବାରୁ ପୂର୍ବାଞ୍ଚଳ ଲୋକ ଅସୁବିଧା ଭୋଗୁଥିଲେ । ଆଜିର ଏହି ଅତ୍ୟାଧୁନିକ ସଂଯୋଗୀକରଣ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ହେଉଛି । ଦିଲ୍ଲୀ ଓ ୟୁପିରେ ବର୍ଷ ବର୍ଷ ଧରି ପରିବାରବାଦ ଶାସନ ଚାଲି ଆସିଥିଲା । ଫଳରେ ଉତ୍ତରପ୍ରଦେଶ ସ୍ୱପ୍ନ ଚୁରମାର ହୋଇଥିଲା । ୟୁପିରେ ୫ ବର୍ଷିଆ ନୁହେଁ ବରଂ ସମୃଦ୍ଧି ପାଇଁ ଦୀର୍ଘସୂତ୍ରୀ ପ୍ରକଳ୍ପ କରାଯାଉଛି । ଏକ୍ସପ୍ରେସ ୱେ ଲକ୍ଷାଧିକ ନୂଆ ରୋଜଗାରର ମାଧ୍ୟମ ପାଲଟିବ ।
ସୂଚନାଯୋଗ୍ୟ, ୩୪୦ କିମି ଲମ୍ବ ବିଶିଷ୍ଟ ଏହି ଏକ୍ସପ୍ରେସୱେ ଲଖନଊରୁ ଗାଜିପୁର ପର୍ଯ୍ୟନ୍ତ ଲମ୍ବିଛି । ଫଳରେ ଏବେ ଦିଲ୍ଲୀରୁ ଗାଜିପୁର ଯିବା ପାଇଁ ୧୦ ଘଣ୍ଟା ସମୟ ଲାଗିବ । ବର୍ତ୍ତମାନ ସମୟରେ ଏହି ଲେନ୍ ୬ ବିଶିଷ୍ଟ ହୋଇଥିଲେ ହେଁ ଭବିଷ୍ୟତରେ ଏହାକୁ ୮ ଲେନ୍ କରାଯିବ । ଏହି ଏକ୍ସପ୍ରେସୱେର ନିର୍ମାଣ ପାଇଁ ପାଖାପାଖି ୨୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।