ସମ୍ବଲପୁର,ଏନ୍ଏନ୍ଏସ୍: ଅଳ୍ପକେ ବର୍ତ୍ତିଲା ରେଳ ଦୁର୍ଘଟଣା। ଟ୍ରାକକୁ ଚାଲିଆସିଥିବା ଏକ ହାତୀକୁ ଧକ୍କା ଦେଇ ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ ହାତୀଟିର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ, ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନ ପୁରୀରୁ ଗତକାଲି ସନ୍ଧ୍ୟା ୭ଟା ୪୫ ମିନିଟରେ ବାହାରିଥିବା ବେଳେ ରାତି ୧.୫୫ ମିନିଟରେ ହାତୀବାରି ଷ୍ଟପେଜ ଛାଡ଼ିଥିଲା। ୨ଟା ୦୪ ମିନିଟରେ ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଟ୍ରାକକୁ ଚାଲିଆସିଥିବା ଏକ ହାତୀକୁ ଧକ୍କା ଦେଇ ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଥିଲା। ହାତୀକୁ ଧକ୍କା ଦେବା ବେଳେ ଟ୍ରେନର ବେଗ ପ୍ରାୟ ୫୦ କିମି/ପ୍ରତିଘଣ୍ଟା ଥିଲା। ତେବେ ଏହି ଦୁର୍ଘଟଣାରେ ହାତୀଟିର ମୃତ୍ୟୁ ଘଟିଛି। ଟ୍ରେନର ପାଇଲଟ ଓ କୋ-ପାଇଲଟ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ଦୁର୍ଘଟଣା ପରେ ଏଆରଏମ(ଆକ୍ସିଡେଣ୍ଟ ରିଲିଫ ଟିମ) ଓ ଏଆରଏମଇ(ଆକ୍ସିଡେଣ୍ଟ ରିଲିଫ ମେଡ଼ିକାଲ ଇକ୍ୟୁପମେଣ୍ଟ ଟିମ)କୁ ଘଟଣାସ୍ଥଳକୁ ପଠା ଯାଇଥିଲା। ରେଢାଖୋଲରେ ଥିବା ଇଞ୍ଜିନ- ୩୭୦୩୮ ପଠା ଯାଇ ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନର ୨୨ ଟି ବଗିକୁ ହାତୀବାରି ଷ୍ଟେସନକୁ ଫେରାଇ ଅଣାଯାଇଥିଲା।
ସେପଟେ ଲାଇନ କ୍ଲିଅର ନଥିବାରୁ ପୁରୀ-ଦୁର୍ଗ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ(୦୮୪୨୫)କୁ ୨ଟା ୧୮ ରୁ ଜୁଜୋମୁରା ଠାରେ ଅଟକ ରଖାଯାଇଛି। ସେହିପରି କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ରାତି ୩ଟା ୨୦ ମିନିଟରୁ ଅଟକ ରଖାଯାଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହି ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନର ଡିଆରଏମ ପ୍ରଦୀପ କୁମାର ଓ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ରେଳ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।