- କୋଣାର୍କ: ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା କୋଣାର୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଛି। ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରତ୍ନତତ୍ୱ ବିଭାଗ ଜମିରେ ଜବରଦଖଲ କରିଥିବା ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ଚିହ୍ନଟ ହୋଇଥିବା ସାଢ଼େ ୩ ଏକର ଜମିରେ ଆସ୍ଥାୟୀ ଭାବେ ଥଇଥାନ ପାଇଁ ଓ ବିସିସି ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜିଲ୍ଲାପାଳ ବୁଲି ଦେଖିଛନ୍ତି।
ଏହି କାର୍ଯ୍ୟକୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏଥିସହ ଥଇଥାନ ସମ୍ପର୍କରେ ଜିଲ୍ଲାପାଳ ଉଠାଦୋକାନୀଙ୍କ ସହ ଆଲୋଚନା କରିଥିଲେ। ପରେ ଚନ୍ଦ୍ରଭାଗାଠାରୁ କୋଣାର୍କ ଓ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ୪ କିମି ୫୦୦ ମିଟର ଲମ୍ବରେ ୩୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬ ଲେନ ରୋଡ ଓ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ କାର୍ଯ୍ୟ, କୋଣାର୍କ କାକଟପୁର ରାସ୍ତାରେ ନିର୍ମାଣାଧୀନ ସ୍ମାର୍ଟ ପାର୍କ କାର୍ଯ୍ୟର ସମୀକ୍ଷା କରିଥିଲେ। ଚନ୍ଦ୍ରଭାଗା ବେଳାମାର୍ଗ, ବାଙ୍ଗର ମୌଜାରେ ଥିବା ସରକାରୀ ଜମି ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ବିଭାଗ କର୍ମଚାରୀଙ୍କଠାରୁ ତଥ୍ୟ ନେଇଥିଲେ। ଅସ୍ଥାୟୀ ଦୋକାନୀଙ୍କ ଥଇଥାନ ପରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ୩୨ ଏକର ଜମିରେ ଓ ବିସିସି ଦ୍ୱାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଥିଲେ।