ପାଟଣାଗଡ଼,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପାଚେରୀ ଡେଇଁବା ମାମଲାରେ ତଳ କୋର୍ଟରୁ ମିଳିଥିବା ଜାମିନକୁ ହାଇକୋର୍ଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅଭୁଯୁକ୍ତ ପୁଞ୍ଜିଲାଲ ୨୦୧୮ ଏପ୍ରିଲ ୨୫ରୁ ପାଟଣାଗଡ଼ ଜେଲରେ ଥିବାବେଳେ ୨୦୧୯ ଜାନୁଆରୀ ୨୪ ତାରିଖରେ ଜେଲ ପାଚେରୀ ଡେଇଁ ଫେରାର ଉଦ୍ୟମ କରିବା ନେଇ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାରେ ଗତ ମେ’ ମାସ ୪ ତାରିଖରେ ପାଟଣାଗଡ଼ ଏସଡିଜେଏମ ପୁଞ୍ଜିଲାଲକୁ ଜାମିନ ପ୍ରଦାନ କରିଥିଲେ । ଏହା ଜାଣିବା ପରେ ହାଇକୋର୍ଟ ନିମ୍ନ ଅଦାଲତଙ୍କଠାରୁ ରିପୋର୍ଟ ମାଗିଥିଲେ । ପରେ ହାଇକୋର୍ଟ ନିମ୍ନ ଅଦାଲତ ଦେଇଥିବା ଜାମିନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ପୁଞ୍ଜିଲାଲଙ୍କ ମୂଳ ମୋକଦ୍ଦମା ଆସନ୍ତା ୮ ତାରିଖରେ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ ନିକଟରେ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପୁଞ୍ଜିଲାଲ ମେହେର ୨୦୧୮ରେ ପାଟଣାଗଡ଼ ଭଇଷାରେ ଥିବା ଜ୍ୟୋତି ବିକାଶ ଜୁନିୟର କଲେଜରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ସେତେବେଳେ କଲେଜର ଅଧ୍ୟକ୍ଷ ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଘରକୁ ବାହାଘରରେ ପାର୍ଶଲ ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହ ଭୋଜି ୨୦୧୮ ଫେବୃଆରୀ ୧୭ରେ ଅନୁଷ୍ଠିତ ହୋଇଥିଲା । ଆଉ ୨୩ ତାରିଖରେ ପାର୍ଶଲ ଖୋଲିବା ସମୟରେ ବିସ୍ଫୋରଣ ଘଟି ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ ଜେନାମଣି ସାହୁଙ୍କ ମୃତ୍ୟୁ ହୋଇଥିଲା ।