ନୂଆଦିଲ୍ଲୀ,ଏଜେନ୍ସି: ନୂତନ କୃଷି ବିଲକୁ ବିରୋଧ କରି ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶର ଚାଷୀ ଗତ ୧୮ ଦିନ ହେବ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ଏପରିକି ଯଦି ସରକାର ଚାଷୀଙ୍କ ଦାବି ପୂରଣ ନ କରନ୍ତି ତେବେ ଆସନ୍ତା କାଲିଠୁ ଚାଷୀ ଅନଶନ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସାରା ଦେଶରେ ଚାଷୀଙ୍କ ଆନ୍ଦୋଳନ ଏକ କ୍ରାନ୍ତି ଆଣିଥିବା ବେଳେ ଅନେକ ବିରୋଧୀ ଦଳ ନେତା ଓ କଳାକାର ଓ ଆନ୍ତର୍ଜାତୀୟ ସ୍ତରରେ ଚାଷୀଙ୍କୁ ସମର୍ଥନ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ପଞ୍ଜାବ ଡେପୁଟି ଇନ୍ସ୍ପେକ୍ଟର୍ ଜେନେରାଲ୍ (ଜେଲ୍) ଲକ୍ଷ୍ମୀନ୍ଦର୍ ସିଂହ ଜଖର ମଧ୍ୟ ଚାଷୀଙ୍କୁ ସମର୍ଥନ ଜଣାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ରାଜ୍ୟର ପ୍ରମୁଖ ଗୃହ ସଚିବଙ୍କ ନିକଟରେ ଲକ୍ଷ୍ମୀନ୍ଦର୍ ସିଂହ ଜଖର ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ କୃଷି ଆଇନ ବିରୋଧରେ ପ୍ରତିବାଦ କରୁଥିବା ମୋର କୃଷକ ଭାଇମାନଙ୍କ ପ୍ରତି ସମର୍ଥନ ଜଣାଇ ମୁଁ ଏହି ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଆପଣଙ୍କୁ ଜଣାଉଛି।
ପଞ୍ଜାବ, ହରିୟାଣା ଏବଂ ଅନ୍ୟ ଅଞ୍ଚଳର ହଜାର ହଜାର କୃଷକ ଦିଲ୍ଲୀ ସୀମାନ୍ତର ବିଭିନ୍ନ ସ୍ଥାନରେ ଧାରଣା ଦେଇ ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଛନ୍ତି। ସେମାନଙ୍କର ଆଶଙ୍କା ଯେ, ଏହି କୃଷି ଆଇନ ଯୋଗୁଁ ‘ଏମଏସପି’ ଉଚ୍ଛେଦ ହେବ ଏବଂ ସେମାନେ ବଡ଼ ବଡ଼ ‘କର୍ପୋରେଟ୍’ମାନଙ୍କ ଦୟାର ପାତ୍ର ପାଲଟି ଯିବେ।