ଧାରଣା ଦେବାକୁ ଯାଉଥିଲେ ଆପ୍ ବିଧାୟକ, ଅଧାରୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ପୁଲିସ ଓ ଆମ ଆଦମୀ ପାର୍ଟି ଭିତରେ ମୁହାଁମୁହିଁ ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଆଗରେ ଧାରଣା ଦେବାକୁ ଯାଉଥିବା କିଛି ଆପ୍ ବିଧାୟକଙ୍କୁ ଦିଲ୍ଲୀ ପୁଲିସ ରାସ୍ତାରୁ ହିଁ ଉଠାଇ ନେଇଛି। ଏପରିକି ବିଧାୟକ ଋତୁରାଜ, ରାଘବ ଚଡ୍ଡା, କୁଲଦୀପ କୁମାର ଓ ସଞ୍ଜୀବଙ୍କୁ ପୁଲିସ ଗିରଫ କରିଥିବା ମଧ୍ୟ ଆପ ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପଟେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି କଥାକୁ ଖଣ୍ଡନ କରାଯାଇଛି। ବିଧାୟକମାନଙ୍କୁ ଗିରଫ କରାଯାଇନାହିଁ। ବରଂ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଛାଡ଼ି ଦିଆଯାଇଛି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନଗର ନିଗମରେ ୨,୪୫୭ କୋଟି ଟଙ୍କା ହେରଫେର୍ ଘଟଣାକୁ ନେଇ ଆପ୍ ନେତାମାନେ ଗୃହମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଅନୁମତି ମାଗିଥିଲେ। ଦିଲ୍ଲୀ ପୁଲିସ କିନ୍ତୁ ସେମାନଙ୍କୁ ଏହି ଅନୁମତି ଦେଇନଥିଲା। ରବିବାର ବିଧାୟକମାନେ ପୁଲିସର ନିୟମ ନମାନି ଗୃହମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଉଥିଲେ। ତେଣୁ ପୁଲିସ ସେମାନଙ୍କୁ ଅଧାବାଟରୁ ଅଟକାଇବା ସହିତ ଥାନାକୁ ନେଇ ଯାଇଥିଲା।