ଲଖନଉ ସାମ୍ନାରେ ବିଫଳ ହେଲା ପଞ୍ଜାବ, ୨୦ ରନ୍‌ରେ ହାରିଲା ମ୍ୟାଚ୍

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୪୨ତମ ମ୍ୟାଚ୍‌ରେ ଲଖନଉ ସୁପର ଜ୍ୟାଣ୍ଟସ୍ ଶକ୍ତି ପ୍ରଦର୍ଶନ କରିଛି । ନିଜର ବ୍ୟାଟିଂ ପାଳିରେ ଅନ୍ୟ ଦିନ ତୁଳନାରେ ଭଲ ପ୍ରଦର୍ଶନ କରି ନଥିଲେ ବି ଚମତ୍କାର ବୋଲିଂ କରି ପଂଜାବ କିଙ୍ଗ୍‌ସକୁ ୨୦ ରନ୍‌ରେ ପରାସ୍ତ କରିଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଲଖନଉ ପ୍ରଥମେ ବ୍ୟାଟିଂ କରି ୮ୱିକେଟରେ ୧୫୩ ରନ୍ ସଂଗ୍ରହ କରିଥିଲା । ତେଣୁ ଏହି ମ୍ୟାଚ ହାରିଯିବ ବୋଲି ସମସ୍ତେ ଆକଳନ କରୁଥିଲେ । ହେଲେ ଲଖନଉ ପ୍ରଶଂସକ, ଦର୍ଶକଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଛି । ପଂଜବାକୁ ମ୍ୟାଚ ଜିତିବାକୁ ଦେଇନାହିଁ ।

୧୫୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଂଜାବ ପାଳି ଆରମ୍ଭ କରିଥିଲା । ଦଳ ୮ଟି ୱିକେଟ ହରାଇ ୧୩୩ ରନ୍‌ରେ ଅଟକି ଯାଇଥିଲା । ପଂଜାବ ପକ୍ଷରୁ ଜନି ବେୟାରଷ୍ଟୋ ସର୍ବାଧିକ ୩୨ ରନ୍ କରିଥିଲେ । ଅଧିନୟାକ ମୟଙ୍କ ଅଗ୍ରୱାଲ ୨୫ ରନ୍ ଋଷି ଧୱନ ଅପରାଜିତ ୨୧ ରନ୍ କରିଥିଲେ । ସେହିପରି ଲିୟାମ ଲିଭିଂଷ୍ଟୋନ ୧୮ ରନ୍ କରିଥିଲେ । ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା ।

ଲଖନଉ ପକ୍ଷରୁ ମୋସିନ ଖାନ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସେ ୨୪ ରନ୍ ଖର୍ଚ୍ଚ କରିଥିଲେ । ଏଥିରେ ତାଙ୍କୁ ଗୋଟିଏ ମେଡନ୍ ଓଭର ମିଳିଥିଲା । କ୍ରୁଣାଳ ପାଣ୍ଡ୍ୟା ମଧ୍ୟ ଗୋଟିଏ ମେଡେନ ଓଭର ନେବା ସହିତ ୨ଟି ୱିକେଟ ନେଇଥିଲେ । କିନ୍ତୁ କ୍ରୁଣାଳ ମାତ୍ର ୧୧ ରନ୍ ଖର୍ଚ୍ଚ କରିଥିଲେ । ଦୁଷ୍ମନ୍ତ ଚମୀର ୪ ଓଭର ବୋଲିଂ କରି ୨ଟି ୱିକେଟ ନେଇଥିଲେ ଓ ସେ ୧୭ ରନ୍ ଖର୍ଚ୍ଚ କରିଥିଲେ ।