ଚଣ୍ଡିଗଡ଼,ଏଜେନ୍ସି: କ୍ଷେତରେ ନଡ଼ା ଜଳାଇବା ନେଇ କୃଷକଙ୍କ ବିରୋଧରେ ହୋଇଥିବା ମାମଲାଗୁଡ଼ିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି। ଏହାସହ ସେ ଚାଷୀଙ୍କୁ ଭବିଷ୍ୟତରେ ଧାନ ନଡ଼ା ନ ଜାଳଇବାକୁ କହିଛନ୍ତି। ରାଜ୍ୟର ଯୁବକମାନଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷଣ ରଖାଯିବା ନେଇ ଖୁବ ଶୀଘ୍ର ଏକ ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରି ରାଜ୍ୟରେ ଚାଷୀଙ୍କ ବିରୋଧରେ ଦିଆଯାଇଥିବା ସମସ୍ତ ଏଫ୍ଆଇଆରଗୁଡିକୁ ମଧ୍ୟ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଚନ୍ନି ପ୍ରତିଶୃତି ଦେଇଛନ୍ତି। ଏହାସହ କୃଷକଙ୍କୁ ନଡ଼ା ନ ଜଳାଇବାକୁ ଅନୁରୋଧ ମଧ୍ୟ କରିଛନ୍ତି।
ତେବେ ପଞ୍ଜାବରେ ଚଳିତ ସିଜନରେ ୬୭ ହଜାରରୁ ଅଧିକ ଖେତରେ ନିଆଁ ଲଗାଯାଇଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ କହିଛନ୍ତି। ଏପଟେ କପା ଫସଲ କ୍ଷତିପୂରଣ ରାଶି ଏକର ପିଛା ୧୨ ହଜାରରୁ ୧୭ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି। ପଞ୍ଜାବର ୩୨ଟି କୃଷି ସଂସ୍ଥାର ପ୍ରତିନିଧୀଙ୍କ ସହ ଏକ ବୈଠକରେ ଚନ୍ନି ଏହି ପ୍ରତିଶୃତି ଦେଇଛନ୍ତି। ଚନ୍ନି ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ କେବଳ ପଞ୍ଜାବର ଯୁବକମାନେ ହିଁ ରାଜ୍ୟରେ ଚାକିରି ପାଆନ୍ତୁ ବୋଲି ଚାହୁଁଛୁ। ଏଥିପାଇଁ ଏକ ସପ୍ତାହ ମଧ୍ୟରେ ଆମେ ଏକ ନୂତନ ଆଇନ ଆଣିବୁ। ଏହା ଜାନୁଆରୀ ୧୫, ୨୦୨୨ରୁ କାର୍ଯ୍ୟକାରୀ ହେବ।
ପରେ ନଡ଼ା ଜାଳିବା ପ୍ରସଙ୍ଗରେ କୃଷକ ନେତା ବଲବୀର ସିଂ ରାଜୱାଲ କହିଛନ୍ତି ଯେ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଯେଉଁଥିରେ ୨.୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ମାଗଣା କୃଷି ଯନ୍ତ୍ରପାତି ଦିଆଯିବ।
ଏପଟେ କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା କୃଷକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି ଯେ, ୧୫୨ ପୀଡିତଙ୍କ ପରିବାରକୁ ରାଜ୍ୟ ସରକାର ସରକାରୀ ଚାକିରି ଦେଇସାରିଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି।