ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଫାର୍ମା ସେକ୍ଟରକୁ ନେଇ ଆୟୋଜିତ ଗ୍ଲୋବାଲ ଇନୋଭେଶନ ସମ୍ମିଳନୀକୁ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ପିଏମ୍ଓର ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହିତ ଉଦ୍ବୋଧନ ମଧ୍ୟ ଦେବେ।
ଏହି ସମାରୋହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଧ୍ୟ ଉପସ୍ଥିତ ରହିବେ। ପ୍ରଥମ ଗ୍ଲୋବାଲ ଇନୋଭେଶନ ସମ୍ମିଳନୀର ମୂଳ ଲକ୍ଷ୍ୟ ହେଲା ସରକାର, ଶିଳ୍ପ, ପୁଞ୍ଜିନିବେଶକାରୀ ଓ ଗବେଷକମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା। ଏହି କାର୍ଯ୍ୟକ୍ରମରେ ଭାରତୀୟ ଫାର୍ମା ସେକ୍ଟର ସଂପର୍କରେ ମଧ୍ୟ ଉପସ୍ଥାପନ କରାଯିବ। ଦୁଇ ଦିବସୀୟ ଏହି ସମାରୋହରେ ୧୨ଟି ଅଧିବେଶନ ରହିବ। ଏଥିରେ ୪୦ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବକ୍ତା ପରିବେଶ ନିୟନ୍ତ୍ରଣ, ଇନୋଭେଶନ ପାଇଁ ପାଣ୍ଠି ଯୋଗାଇବା, ଭିତ୍ତିଭୂମି ଉପରେ ନିଜର ମତ ରଖିବେ।