ପୁଲୱାମା ଏନକାଉଣ୍ଟରରେ ଜଣେ ଯବାନ ସହିଦ, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘଟ ସଂଘର୍ଷ ଜାରି ରହିଛି। ସୁରକ୍ଷାବଳ ପକ୍ଷରୁ ୩ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଅନ୍ୟପଟେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ସହିଦ ଯବାନ ଜଣକ ହାବିଲଦାର କାଶୀ ରାଓ ହୋଇଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡର ସମେତ ୩ରୁ ୪ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ଖବର ମିଳିଥିଲା। ପରେ ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରି ଦେଇଥିଲା। ଚାରିପଟୁ ଘେରି ହୋଇଥିବା ଦେଖି ନିଜକୁ ବଞ୍ଚାଇବା ପାଇଁ ଆତଙ୍କବାଦୀମାନେ ପ୍ରଥମ ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ପ୍ରାଣ ହରାଇଥିବା ଆତଙ୍କବାଦୀମାନେ ଲସ୍କରର ହୋଇଥିବା ନେଇ ଚିହ୍ନଟ କରାଯାଇଛି। ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସୁରକ୍ଷାବଳ ଅପରେସନ ଜାରି ରଖିଛି।