ତୀବ୍ର ବିରୋଧ ପରେ କୋଡ଼ିଙ୍ଗାମାଳି ଖଣି ସଂପ୍ରସାରଣ ଜନଶୁଣାଣି ସ୍ଥଗିତ ରଖିଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା,ଏନ୍ଏନ୍ଏସ୍: କୋଡିଙ୍ଗାମାଳି ଖଣି ଉତ୍ତୋଳନକୁ ନେଇ ଆଜି ହେବାକୁଥିବା ଜନଶୁଣାଣିକୁ ସ୍ଥଗିତ ରଖିଲେ ରାୟଗଡା ଜିଲ୍ଲାପାଳ। ଖଣି ଖନନକୁ ନେଇ କିଛି ଦିନ ହେବ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ବିରୋଧ ହେଉଥିଲା। ଏପରିକି ଆନ୍ଦୋଳନକାରୀମାନେ ଗାଁ ଗଣ୍ଡାରେ ପୋଷ୍ଟର ଓ ବ୍ୟନର ଲଗାଇ ବିରୋଧ କରିଥିଲେ। ଏପରିକି ଜନଶୁଣାଣି ହେବାକୁ ଥିବା କାଶୀପୁର ବ୍ଲକର ପୋଡାପାଡି ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ତାଲା ପକାଇଥିଲେ।

କଂସାରୀଗୁଡାରେ ହିଣ୍ଡାଲକୋ କାରଖାନା ନିର୍ମାଣ ନକରି କଡିଙ୍ଗାମାଳି ଖଣି ହାତେଇବା ପାଇଁ ସମ୍ପୃକ୍ତ କମ୍ପାନୀ ଯୋଜନା କରୁଥିବାବେଳେ ଏହାକୁ ବିରୋଧ କରୁଛନ୍ତି ସମ୍ପୃକ୍ତ ଅଞ୍ଚଳବାସୀ। ଏଥିପାଇଁ ଆସନ୍ତା କାଲି କାଶୀପୁର ବ୍ଲକର ପୋଡାପାଡିରେ ପଲ୍ଲୀସଭା ଅନୁଷ୍ଠିତ ହେବାକୁଥିବା ବେଳେ ଡିସେମ୍ବର ୨ ତାରିଖ ଦିନ ଲକ୍ଷ୍ମୀପୁର ବ୍ଲକର ଓଡିଆପେଣ୍ଠରେ ପ୍ରଶାସନ ପକ୍ଷରୁ ପଲ୍ଲୀସଭା ଅନୁଷ୍ଠିତ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସେପଟେ ଜନ ଶୁଣାଣିକୁ ବି‌ରୋଧ ପାଇଁ ଗାଁ ଗାଁରେ ବସିଥିଲା ବୈଠକ। ଏଥିରେ ଶହ ଶହ ବିରୋଧୀ ଏକାଠି ହୋଇଥିଲେ। ଜନଶୁଣାଣି ପାଇଁ ପ୍ରସ୍ତାବିତ ସ୍କୁଲରେ ବିରୋଧୀ ତାଲା ଝୁଲାଇବା ପରେ ଜନଶୁଣାଣିକୁ ସ୍ଥଗିତ ରଖିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ସମୟରେ ପୁଣି ଥରେ ଜନଶୁଣାଣି କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

ଓଏମସି ଅଧୀନରେ ଥିବା କୋଡିଙ୍ଗାମାଳି ଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୩ ମିଲିୟନ୍ ଟନରୁ ୬ ମିଲିୟନ୍ ଟନକୁ ବୃଦ୍ଧି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜନଶୁଣାଣି ଆଗତ କରିଥିଲା। ଖଣି ସଂପ୍ରସାରଣ ଅଞ୍ଚଳ ରାୟଗଡ଼ା ଜିଲ୍ଲାର କାଶୀପୁର, କୋରାପୁଟର ଲକ୍ଷ୍ମୀପୁରକୁ ସଂଯୋଗ ହୋଇଥିବାରୁ ଅକ୍ଟୋବର ୨୫ରେ କାଶୀପୁରର ପୋଡାପାଡ଼ିରେ ଏବଂ ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠରେ ନଭେମ୍ବର ୨ ତାରିଖରେ ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କାରଖାନା ପ୍ରତିଷ୍ଠା ନକରି କେବଳ ଖଣି ସଂପ୍ରସାରଣ କରି ଖଣିଜ ସମ୍ପଦ ଲୁଟ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବାରୁ କୋଡିଙ୍ଗାମାଳି ଜନଶୁଣାଣିକୁ ନେଇ ଗତ କିଛିଦିନ ଧରି ଜନ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଥିଲା। ଗତ ୧୭ ତାରିଖରେ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ କାରଖାନା ନହେଲେ ଖଣି ସଂପ୍ରସାରଣ କରିବାକୁ ଦିଆଯିବନି ବୋଲି ସ୍ପଷ୍ଟ କରିଥିଲେ।

୨୦୨୦ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରୀଗୁଡା ପ୍ରକଳ୍ପ ପାଇଁ ୮୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ୪ ହଜାର କର୍ମନିଯୁକ୍ତି ପାଇଁ ଘୋଷଣା କରିଥିଲେ। ଯାହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ଫଳରେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜନଶୁଣାଣିକୁ ନେଇ ବିରୋଧାଭାସ ବଢ଼ିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଟିକିରି, ପୋଡାପାଡ଼ି ସମେତ ଲକ୍ଷ୍ମୀପୁରକୁ ସଂଯୋଗ ହୋଇଥିବା ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବ‌ରେ ଜଣେ ଡିଏସପି, ୪ ଇନସପେକ୍ଟର ଏବଂ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।