କାଲି ଭାରତ ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମଜଦୁର ସଂଘ ଛାଡ଼ି ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। କେନ୍ଦ୍ରର ପବ୍ଲିକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏମାନେ କୃଷି ଆଇନ‌କୁ ନେଇ ଦୁଇ ଦିନ ଅର୍ଥାତ୍ ନଭେମ୍ବର ୨୬ ଓ ୨୭ରେ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତାକାଲି ହେବାକୁ ଥିବା ଧର୍ମଘଟରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମପ୍ଲୋଇ ଆସୋସିଏସନ୍(ଏଆଇବିଇଏ) ସାମିଲ ହେବ।

ନିକଟରେ ଲୋକସଭା ଅଧିବେଶନରେ ‘ବ୍ୟବସାୟ ସହଜ ତଥା ସରଳୀକରଣ’କୁ ନେଇ ନୂତନ ଶ୍ରମ ନିୟମ ପ୍ରଣୟନ କରାଯାଇଛି। ତେବେ ସହଜ ବ୍ୟବସାୟ ନାମରେ କର୍ପୋରେଟ୍ ସ୍ୱାର୍ଥରେ ଏହି ନିୟମ ପ୍ରଣୟନ କରାଯାଇଛି ଓ ଏହା ଶ୍ରମ ନିୟମ ବାହାରେ ଏବଂ ଏଥିରେ ଆଇନଗତ କୌଣସି ସୁରକ୍ଷା ନାହିଁ ବୋଲି ଏଆଇବିଇଏ କହିଛି।

କେବଳ ଜରୁରୀକାଳୀନ ସେବାରେ ଥିବା ୱାର୍କରମାନେ ଧର୍ମଘଟରୁ ବାଦ ରହିବେ। ଏଥିରେ ଭାରତୀୟ ମଜଦୁର ସଂଘ ଛାଡ଼ି ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ କର୍ମଚାରୀ, ବ୍ୟାଙ୍କ୍, ରେଳ ଓ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ ସାମିଲ ହେବେ। ଏହି ବନ୍ଦ ୨୫ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ୨୬ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ।