ଦେବଗଡ଼,ଏନ୍ଏନ୍ଏସ୍: ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ଵାନ କ୍ରମେ ଦେବଗଡ଼ ଡିଭିଜନ ଠାରେ ଶତାଧିକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ ଦାବିରେ ପ୍ଲାକାର୍ଡ, ବେନର ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ସଭାପତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଲକ୍ଷ୍ ଲକ୍ଷ୍ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରୁ ଶୀଘ୍ର ଜିଏସଟି ଉଚ୍ଛେଦ ପାଇଁ ଦାବି କରିଥିଲେ। ଏହା ସହିତ ସଂଘର ଉପସଭାପତି ଗୋକୁଳ ମେହେର ରାଜ୍ୟ ସମ୍ପାଦକ ସଞ୍ଜିତ୍ ମହାନ୍ତି, ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ମହମ୍ମଦ୍ ମୂର୍ତଜା, ସୁଧୀର କପରଦାର, ବିଭୂତି ଗଙ୍ଗଦେବ, ପ୍ରମୋଦ ଝାଙ୍କର, ଅମରେନ୍ଦ୍ର ଗଙ୍ଗଦେବ, ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଭୂପେନ୍ଦ୍ର ନାୟକ, ହୀରାଧର ସାହୁ, ମିଲନ ହୋତା, ଶ୍ରମିକ ନେତା ସୁବାଷ ନାୟକ, ପରକ୍ଷିତ ବେହେରା, ସ୍ଵାଧୀନ ପଣ୍ଡା ତୋଳାଲି ଯମୁନା କଠାର, ବାସନ୍ତୀ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ଦାବି ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ କେନ୍ଦୁପତ୍ର ଉପରେ ଶତକଡା ୧୮ ଭାଗ ଓ ବିଡି ଉପରେ ଶତକଡା ୨୮ ପ୍ରତିଶତ ଜିଏସ୍ଟି ନିଆଯିବା ଫଳରେ ଗୋଟିଏ ପ୍ରାକୃତିକ ଓ ପ୍ରସ୍ତୁତ ହେଉଥିବା ବିଡିରେ ଦ୍ଵେତ ଟିକସ ଲଗାଇବା ଯୋଗୁଁ ଗତ ୪ ବର୍ଷ ମଧ୍ୟରେ କେନ୍ଦୁପତ୍ର ସଂସ୍ଥାରେ ଲାଭର ମାତ୍ରା ହ୍ରାସ ପାଉଥିବା ଯୋଗୁଁ ଏହି ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୧୩ ଲକ୍ଷ ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ ହେବା ସହ ସେମାନେ ପାଉଥିବା ସାମାଜିକ ନିରାପତ୍ତା ମୂଳକ ପ୍ରୋସାହନ ବନ୍ଦ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାର ଉଚ୍ଛେଦ କିମ୍ବା ହ୍ରାସ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଉଚ୍ଛେଦ ହୋଇନାହିଁ। ଏପରିକି ବିଜେପି ଗତ ୨୦୧୯ ନିର୍ବାଚନ ଇସ୍ତାହାରରେ ଏହାର ଉଚ୍ଛେଦ ପାଇଁ ପ୍ରତିଶୃତି ଦିଆଯାଇଥିଲା। ଏହାର ଉଚ୍ଛେଦ ନ ହୋଇଥିବାରୁ ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଆଜିର ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବିକୁ ଯଥାଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଥିଲେ।
ଗତ ଡିସେମ୍ବର ୩ ତାରିଖ ଦିନ ବିଧାନସଭା ସମ୍ମୁଖରେ ଏକ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଦୃଢତାର ସହ ଚାପ ସୃଷ୍ଟି ପାଇଁ ମଧ୍ୟ ଏକ ଦାବିପତ୍ର ଦିଆଯାଇଥିବା ଏବଂ ଆଜି ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରି କେନ୍ଦୁପତ୍ର ତୋଳାଳିଙ୍କୁ ଦୁଇ ହଜାର କେରୀକୁ ପୂର୍ବପରି ହାତରେ କେରୀ କରିବା, ଗ୍ରାମସଭା ନାମରେ ଘରୋଇକରଣକୁ ପ୍ରୋତ୍ସାହନ ନଦେବା, ସମାଜିକ ନିରାପତ୍ତା ପ୍ରୋତ୍ସାହନ ଯଥା ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତାକୁ ପୁନଃ ପ୍ରଚଳନ କରିବା, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି କରିବା, ସର୍ବନିମ୍ନ ମଜୁରୀ ସଂଶୋଧନ କରିବା ଏବଂ କେନ୍ଦୁପତ୍ର ଦରକୁ ବୃଦ୍ଧି କରିବା ଆଦି ଦାବିରେ ୧୪୧୬୫ ଦସ୍ତଖତ ସମ୍ବଳିତ ଦାବିପତ୍ର କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଏହି କର୍ଯ୍ୟକ୍ରମ ଆୟୋଜନରେ ଶୁକଦେବ ଭଞ୍ଜ, ଶଙ୍କର ମହାପାତ୍ର, ପ୍ରଶାନ୍ତ ଭଞ୍ଜ, ପ୍ରତାପ ଦେବ, ଚନ୍ଦ୍ର ଶେଖର ଭୁକ୍ତା, ବିକାଶ ମିଶ୍ର, ସୁବ୍ରତ ପାତ୍ର, ଗୁରୁ ପ୍ରଧାନ, ଗନ୍ଧର୍ବ ପ୍ରଧାନ, ଜ୍ଞାନେନ୍ଦ୍ର ଗଣନାୟକ, ଭଗବାନ ବେହେରା, ସୁମିତ ପଟେଲ, ଦେବ ଜ୍ୟୋତି ପଟ୍ଟନାୟକ, ବସନ୍ତ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।