ବାଲିଗୁଡ଼ା,ଏନ୍ଏନ୍ଏସ୍: ଆଉ ଦିନକ ପରେ ବଡ଼ଦିନ। ବଡ଼ଦିନ ପାଇଁ ବିଭିନ୍ନ ଗିର୍ଜା ଗୃହ ମାନଙ୍କରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ବାଲିଗୁଡ଼ା ପୁଲିସ ପକ୍ଷରୁ ବାଲିଗୁଡ଼ା ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ବଡ଼ଦିନକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ ୪ ପ୍ଲାଟୁନ ଓ ବାରଖମାରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣେ ଅତିରିକ୍ତ ଏସପି, ବାଲିଗୁଡ଼ା ଏସଡିପିଓ, ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସହ ୪ ଜଣ ଅଫିସର ନିୟୋଜିତ ଓ ମୁତୟନ କରାଯାଇଛି।
ଆବଶ୍ୟକ ସ୍ଥଳେ ଅଧିକ ଫୋର୍ସ ଜିଲ୍ଲା ମୁଖ୍ୟାଳୟରୁ ମଗାଯିବ ଏବଂ ଶାନ୍ତି ଶୃଙ୍ଖଳା ସହ ବଡ଼ଦିନ କିଭଳି ପାଳନ କରାଯିବ, ସେନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ। ଅନ୍ୟପଟେ ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯିବା ସହ ଗାଡ଼ିମୋଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଛି। ସମସ୍ତ ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖିଛି ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି।