ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦର ୱାର୍ଡ ନମ୍ବର ୨୧ ବୁରୋମାଲରେ ଖାଉଟି ସାମଗ୍ରୀ ବଣ୍ଟନ କରିବାରେ ଡିଲର ଅନିୟମିତତା କରୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଖାଉଟୀ ସାମଗ୍ରୀ ବଣ୍ଟନ କରୁଥିବା ଡିଲର ବିନୋଦିନୀ ସିଂ ପ୍ରାୟ ଏକ ବର୍ଷ ହେବ କୌଣସି ହିତାଧିକାରୀଙ୍କୁ କିରୋସିନ ପ୍ରଦାନ କରିନଥିବା ଅଭିଯୋଗ ହୋଇଛି। ସେହିପରି ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାଗଣା ଚାଉଳକୁ ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ ନକରି ଡିଲର ଏହାର କଳାବଜାରୀ କରି ବିକ୍ରି କରିଛନ୍ତି। ଏହା ପ୍ରଶାସନ ଜାଣିବା ପରେ ବିନୋଦିନୀଙ୍କଠାରୁ ଡିଲରସିପ ଛଡ଼ାଇ ନେଇ ମୁଙ୍ଗାପଡ଼ାର ଉତ୍ତମ ଚୌହାନଙ୍କୁ ଦେଇଥିଲେ। ତେବେ ବର୍ତ୍ତମାନ ପୁଣି ଉତ୍ତମଙ୍କଠାରୁ ଡିଲରସିପ ଫେରସ୍ତ କରି ବିନୋଦିନୀଙ୍କୁ ଦିଆଯାଉଥିବାରୁ ବୁରୋମାଲ, ଗୌନ୍ତିଆପଡ଼ାର ହିତାଧିକାରୀମାନେ ଆଜି ଝାରସୁଗୁଡ଼ା ପୌରପରିଷଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ବିନୋଦିନୀଙ୍କୁ ଡିଲରସିପ ରଦ୍ଦ କରାଯାଇ ମା’ଦୁର୍ଗେଶ୍ୱାରୀ ଏସଏଚଜି ଗ୍ରୁପକୁ ଡିଲରସିପ ପ୍ରଦାନ, ଅଗଷ୍ଟ ମାସର ମିଳିନଥିବା ଚାଉଳ ପ୍ରଦାନ ଓ ଗରିବଙ୍କ ଚାଉଲଙ୍କୁ ଅନ୍ୟକୁ ବିକ୍ରି କରିଥିବାରୁ ବିନୋଦିନୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ୱାର୍ଡ ନମ୍ବର ୨୧ର ହିତାଧିକାରୀମାନେ ଦାବି କରିବା ସହ ପୌରପରିଷଦ ଅଧିକାରୀଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ କଂଗ୍ରେସ ନେତା ସିଆରାମ ଦାସ, ମା’ଦୁର୍ଗେଶ୍ୱରୀ ଏସଏଚଜି ଗ୍ରୁପର ସଦସ୍ୟା ତଥା ୱାର୍ଡ ନମ୍ବର ୨୧ର ହିତାଧୀକାରୀମାନେ ଉପସ୍ଥିତ ଥିଲେ। ।