ଅଗ୍ନିପଥ: ୧୩ ରାଜ୍ୟରେ ପ୍ରଦର୍ଶନ ଜାରି; ଜଣେ ମୃତ, ଆଜି ବିହାର ବନ୍ଦ ନେଇ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ସେନାରେ ଭର୍ତ୍ତି ସହିତ ଜଡ଼ିତ ‘ଅଗ୍ନିପଥ ଯୋଜନା’ ବିରୋଧରେ ଦେଶବ୍ୟାପୀ ହିଂସକ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବ ଉତ୍ତର ପ୍ରଦେଶ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ସମେତ ୧୩ଟି ରାଜ୍ୟରେ ପହଞ୍ଚି ସାରିଛି। ସର୍ବାଧିକ ଅଧିକ ହିଂସା ବିହାରରେ ଦେଖାଯାଇଛି। ହିଂସାକାଣ୍ଡ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ବିହାରର ୧୨ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ହରିୟାଣାର ଗୋଟିଏ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସହିତ ଏସଏମଏସ ସେବା ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି। ହିଂସା ବନ୍ଦ ହେଲା ଭଳି ଲାଗୁନାହିଁ। ବିହାରରେ କିଛି ଛାତ୍ର ସଂଗଠନ ଆଜି ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରିଛନ୍ତି। ଏହି ବନ୍ଦକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଓ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ସମର୍ଥନ କରିଛି। ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିପାରନ୍ତି। ଏହି ବୈଠକରେ ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ବିରୋଧକୁ ମଧ୍ୟ ସାମିଲ କରାଯାଇପାରେ।

ବିହାର, ହରିୟାଣା ଓ ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। କିନ୍ତୁ ଉତ୍ତରପ୍ରଦେଶରେ ସର୍ବାଧିକ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି। ରାଜ୍ୟର ୪ ଜିଲ୍ଲାରେ ୬ଟି ମାମଲା ରୁଜୁ ହୋଇଛି ଏବଂ ୨୬୦ ଜଣଙ୍କୁ ଗିରଫ କରାଯାଇଛି। ବଲିଆରେ ୧୦୯, ମଥୁରାରେ ୭୦, ଆଲିଗଡ଼ରେ ୩୦, ଆଗ୍ରାରେ ୯, ବାରାଣସୀ କମିଶନରେଟରେ ୨୭ ଓ ନୋଡାରେ ୧୫ ଜଣ ଗିରଫ ହୋଇଛନ୍ତି।

ପ୍ରଦର୍ଶନର ଅସଲ ରୂପ ଦେଖିବାକୁ ମିଳିଛି ବିହାରରେ। ଶୁକ୍ରବାର ନାଳନ୍ଦାର ଇସଲାମପୁର ରେଳଷ୍ଟେସନରେ ମଗଧ ଏକ୍ସପ୍ରେସର ୪ଟି ବଗି ଜାଳି ଦିଆଯାଇଛି। ଆରାରେ କୁହ୍ଲାଡିଆ ଷ୍ଟେସନରେ ସ୍ପେଶାଲ ଟ୍ରେନରେ ନିଆଁ ଲଗାଇ ଦିଆଯାଇଛି। ବିହିୟା ରେଳଷ୍ଟେସନରେ ଟିକେଟ କାଉଣ୍ଟରୁ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ ହୋଇଛି। ୬୫୦ ଅଜ୍ଞାତ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ୧୬ ଜଣ ଉପଦ୍ରବକାରୀ ଗିରଫ ହୋଇଛନ୍ତି। ସେହିଭଳି ମୋତିହାରୀରେ ୨୩ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି। ସମସ୍ତିପୁର ଓ ଦରଭଙ୍ଗାରେ ୧୪୪ ଧାରା ଲାଗୁ କରାଯାଇଛି।