ଖରିଫ ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏକାଠି ହେଲେ ୪ ଜିଲାର ଚାଷୀ
ସୋମବାରରୁ ଆନ୍ଦୋଳନ କରିବାକୁ ଚେତାବନୀ
ବରଗଡ଼,ଏନ୍ଏନ୍ଏସ୍: ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ରବିବାର ବରଗଡ଼ ଜିଲ୍ଳା ଗୋଡ଼ଭଙ୍ଗାରେ ୪ଟି ଜିଲ୍ଲାର ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି। ଅନ୍ୟପଟେ ଶୁକ୍ରବାରରୁ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନେଇ ମାର୍କେଟ ୟାର୍ଡ ଖୋଲିଥିବା ବେଳେ ବିଭିନ୍ନ ସ୍ଥାନରେ ହଜାର ହଜାର ବସ୍ତା ଧାନ ପଡିରହିଛି। ତେବେ ଟୋକନ ବ୍ୟବସ୍ଥା ଉଚ୍ଛେଦ କରାନଗଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ବିଶେଷ କରି ହୀରାକୁଦ ଜଳସେଚିତ ଅଞ୍ଚଳ ଅନ୍ତର୍ଗତ ଅତାବିରା, ଗୋଡ଼ଭଙ୍ଗା, କଳାପାଣି, ପାହାଡ଼ଶ୍ରୀଗିଡ଼ା, ରେଙ୍ଗାଲିକ୍ୟାମ୍ପ ଆଦି ଅଞ୍ଚଳର ଚାଷୀ ପୂର୍ବ ପରି ଧାନ ବିକ୍ରୀ କରିବେ ବୋଲି କହିଛନ୍ତି। ଯାହାକୁ ନେଇ ରବିବାର ସମ୍ବଲପୁର, ବରଗଡ଼, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାର ଚାଷୀ ଏକାଠି ହୋଇଛନ୍ତି। ବହୁ କ୍ଷେତ୍ରରେ ଯେଉଁ ଚାଷୀଙ୍କ ଧାନ ଅମଳ ହୋଇ ପାରିନାହିଁ ସେହି ଚାଷୀକୁ ଟୋକନ ଦିଆଯାଇ ଧାନ ବିକ୍ରି କରିବାକୁ ଅନୁମତି ଦିଆଯାଇଥିବା ବେଳେ ଯେଉଁ ଚାଷୀର ଧାନ ଅମଳ ହୋଇଛି ତାଙ୍କୁ ଆଗାମୀ ଡିସେମ୍ବର ମାସରେ ଧାନ ବିକ୍ରୀ ପାଇଁ ଟୋକନରେ ଉଲ୍ଲେଖ ରହିଛି।
