ରାଜପୁର ହସ୍ପିଟାଲ ସ୍ଥାନାନ୍ତରଣକୁ ବିରୋଧ

ଝାରସୁଗୁଡା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡା ଜିଲ୍ଲା ରାଜପୁରସ୍ଥିତ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାନାନ୍ତରକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ରାଜପୁର ହସ୍ପିଟାଲର ବର୍ତ୍ତମାନର ଅବସ୍ଥିତି ସଠିକ ସ୍ଥାନରେ ରହିଛି। ଏହାଦ୍ୱାରା ରାଜପୁର, ଗଉରମାଲ, ଚନ୍ଦନୀମାଲ, ଲୁଇସିଂ ପଞ୍ଚାୟତବାସୀ ତଥା ପଡୋଶୀ ସୁନ୍ଦରଗଡ ଜିଲ୍ଲାର ଲୋକେ ମଧ୍ୟ ଉପକୃତ ହୋଇପାରୁଛନ୍ତି। ଏହି ହସ୍ପିଟାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବା ସହ ଏହାର ସ୍ଥାନ ପରିବର୍ତ୍ତନ କରିବା ପାଇଁ ସରକାରୀ ସ୍ତରରେ ଯୋଜନା କରାଯାଇ ଏକ ଦୁର୍ଗମ ସ୍ଥାନ ଚିହ୍ନଟ କରାଯାଇଛି। ଯେଉଁ ସ୍ଥାନରେ ଚିକିତ୍ସାଳୟ ହେଲେ ଲୋକେ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୁପାନ୍ତରିତ କଲେ ମଧ୍ୟ ଏହାର ସ୍ଥାନ ପରିବର୍ତ୍ତନ କରାନଯାଇ ରାଜପୁର ଗ୍ରାମରେ ରଖାଯାଉ ବୋଲି ଲୋକେ ଦାବି କରିଛନ୍ତି।

ଲୋକଙ୍କ ମତ ଅନୁସାରେ ନୂତନ ହସ୍ପିଟାଲର ସ୍ଥାନ ନିରୂପଣ କରିବାକୁ ଆସିଥିବା ଉପଜିଲ୍ଲାପାଳ ଶିବ ଟପ୍ପୋ, ରେଭିନ୍ୟୁ ସୁପରଭାଇଜର ସୁମନ ମାର୍ତି, ରାଜପୁର ଆରଆଇ ରଶ୍ମିତା ଟପନୋ ପ୍ରମୁଖଙ୍କୁ ସ୍ଥାନୀୟ ଲୋକେ ରାଜପୁର ଗ୍ରାମରେ ଏକ ଜମି ମଧ୍ୟ ଦେଖାଇଥିଲେ। ନକ୍ସା ତଥା ଅନ୍ୟାନ୍ୟ ସରକାରୀ ପ୍ରକ୍ରିୟା ପରେ ଲୋକେ ଦେଖାଇଥିବା ସ୍ଥାନରେ ନୂତନ ହସ୍ପିଟାଲ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଟପ୍ପୋ ପ୍ରକାଶ କରିଛନ୍ତି। ଶ୍ରୀ ଟପ୍ପୋଙ୍କ ଆଶ୍ୱାସନାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିରେ ମଧ୍ୟ ରାଜପୁରରୁ ହସ୍ପିଟାଲକୁ ସ୍ଥାନାନ୍ତର କରାନଯାଉ ବୋଲି କହିଛନ୍ତି।

ଏହାସହ ଲୋକଙ୍କ ହିତ ବିରୋଧରେ କାର୍ଯ୍ୟକରି ଯଦି ପ୍ରଶାସନ ହସ୍ପିଟାଲକୁ ସ୍ଥାନାନ୍ତର କରେ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ସହ ରାଜପୁର, ଗଉରମାଲ, ଲୁଇସିଂ ଓ ଚନ୍ଦନୀମାଲ ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସ୍ଥାନୀୟ ସମାଜସେବୀ ତଥା ଯୁବ ନେତା ରାଧେଶ୍ୟାମ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜପୁର ସରପଞ୍ଚ ଜତିନ ଦେଓ, ଗଉରମାଲ ସରପଞ୍ଚ ଝରଣା ସାଗର, ଗଉରମାଲ ସମିତି ସଭ୍ୟ ଦୀପା ସିଂ, ରାଧେଶ୍ୟାମ ପ୍ରଧାନ, ହେମିନ ଦେଓ, ରୁଦ୍ର ପ୍ରଧାନ, ଭଗବାନ କଟାର, ଦୀଲିପ ନାଏକ, ପପ୍ପୁ ରାଏ, ବେଦ ତନ୍ତି, ତନୁଜା ପାଟଜୋଶୀ ପ୍ରମୁଖଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।