ପୁଣି ତେଜିଲା ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃପ୍ରତିଷ୍ଠା ଦାବୀ ନେଇ ଜିଲ୍ଲା ଆକ୍ସନ କମିଟି ତରଫରୁ ପୁଣିଥରେ ଆନ୍ଦୋଳନ ଆରମ୍ଭ ହୋଇଛି । ଫଳରେ ଆଜି ଜିଲ୍ଲାର ସମସ୍ତ ସରକାରୀ ଅଫିସ ବନ୍ଦ ରହିଛି । ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସକାଳ ୬ରୁ ଡାକଘର ସମ୍ମୁଖରେ ପିକେଟିଂ କରାଯାଇଥିଲା । ପରେ ଜିଲ୍ଲାପାଳ ଅଫିସ, ଡିଆରଡିଏ, ଡିଏଫଓ ଅଫିସ ଓ ସିଭିଲ କୋର୍ଟ ସମ୍ମୁଖରେ ମଧ୍ୟ ପିକେଟିଂ କରାଯାଇଥିଲା । ଏଥିସହିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ଶତପଥୀ, ରତନ ମହାରଣା, ନୀଳମଣି ମିଶ୍ର, ସରୋଜ ପାଣିଗ୍ରାହୀ, ଅଶୋକ ରାଉତ, ରାଜେନ୍ଦ୍ର ମିଶ୍ର, ବିକ୍ରମାନନ୍ଦ ବହିଦାର, ପୁଲିନ ମିଶ୍ର, ବିଭୂଦତ୍ତ ମିଶ୍ର ଓ ଡା. ବିପିନ କୁଶଲିଆଙ୍କ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ସଂଗଠନ ପ୍ରତିନିଧି ଯୋଗଦେଇ ସରକାରଙ୍କ କାଳବିଳମ୍ବ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ତେବେ ହାଇକୋର୍ଟ ପୁନଃପ୍ରତଷ୍ଠା ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।