ଶ୍ରଦ୍ଧାଙ୍କ ମୁହଁ ଜାଳି ଦେଇଥିଲା ଆଫତାବ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ଘଟଣାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ଲଗାତାର ଭାବେ ଅଭିଯୁକ୍ତ ବୟଫ୍ରେଣ୍ଡ ଆଫତାବକୁ ଜେରା କରୁଥିବାରୁ ଘଟଣା ଉପରୁ ପରଦା ଉଠୁଛି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ପରିଚୟ ଲୁଚାଇବା ପାଇଁ ଆଫତାବ ମୁହଁକୁ ଜଳାଇବାକୁ ଚେଷ୍ଟା କରିଥିଲା । ପ୍ରଥମେ କଟା ମୁଣ୍ଡକୁ ୩ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିଲା । କିନ୍ତୁ ବରଫ ଜମା ହୋଇଥିବାରୁ ମୁହଁ ଭଲଭାବେ ଜଳି ନଥିଲା । ପରେ ଶ୍ରଦ୍ଧାଙ୍କ ମୁହଁଙ୍କୁ ମାଟିରେ ଘଷି ଫିଙ୍ଗି ଦେଇଥିବା ଆଫତାବ କହିଛି । ଏସମ୍ବନ୍ଧରେ ଇଣ୍ଟରନେଟରୁ ତଥ୍ୟ ହାସଲ କରିଥିବା ନେଇ ମଧ୍ୟ ଆଫତାବ ସ୍ୱୀକାର କରିଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରୁ ଜୁନ ମାସରେ ପୁଲିସକୁ ଗୋଟିଏ କଟା ମୁଣ୍ଡ ଓ ହାତ ମିଳିଥିଲା । ଏହା ଶ୍ରଦ୍ଧାଙ୍କ ମୃତ୍ୟୁ ତାରିଖ ପରେ ହିଁ ପୁଲିସର ହସ୍ତଗତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଉକ୍ତ କଟାମୁଣ୍ଡ ଓ ହାତ କାହାର ବୋଲି ଚିହ୍ନଟ ହୋଇପାରି ନାହିଁ । କିନ୍ତୁ ଏବେ ତାହାକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଏବଂ ଫରେନସିକ ରିପୋର୍ଟ ମଧ୍ୟ ଖୁବଶୀଘ୍ର ଆସିବ ବୋଲି ଜଣାପଡ଼ିଛି ।