କେନ୍ଦୁପତ୍ର କର୍ମଚାରୀଙ୍କୁ କେନ୍ଦ୍ରର ପ୍ରତାରଣା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ବସନ୍ତ ନିବାସ ଡାକ ବଙ୍ଗଳାରେ ଡିଭିଜନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତଜା, ସଂଜିତ ମହାନ୍ତି ଓ ଡିଭିଜନ ସମ୍ପାଦକ ଭୂପେନ୍ଦ୍ର ପ୍ରସାଦ ନାୟକ ମଞ୍ଚାସିନ ରହି କେନ୍ଦୁପତ୍ର ତୋଳାଳୀ, ମୁନସୀ, ଚେକର ଓ ସର୍କଲ ଚେକର ଭଳି କେନ୍ଦୁପତ୍ର କର୍ମଚାରୀଙ୍କୁ ଏକଜୁଟ ହେବାକୁ କହିଥିଲେ । ଗତ ୨୦୧୯ ନିର୍ବାଚନରେ ସରକାର ଗଢ଼ିଲେ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଏଭଳି ପ୍ରତାରଣା ବିରୁଦ୍ଧରେ ସଂଘ ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ସଂଘର ନେତୃବୃନ୍ଦ ପ୍ରକାଶ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ବିଶ୍ୱନାଥ ସ୍ୱାଇଁ, ହୀରାଧର ସାହୁ ଓ ପରକ୍ଷିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।