ନୂତନ ପେନସନ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ପେନସନ ନୀତି ବିରୋଧରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଆଶିଷ ସିଂ ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା ମଣ୍ଡପରୁ ଏକ ବିଶାଳ ରାଲି ବାହାରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ଆସନ୍ତା ୧୯ ତାରିଖରେ ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ପ୍ରାଥମିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ ବ୍ଲକ ସମ୍ପାଦକ ସନ୍ତୋଷ କୁମାର ଗୁପ୍ତା, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ବଗର୍ତ୍ତି, ବ୍ଲକ ଶିକ୍ଷକ ସଂଘ ଉପଦେଷ୍ଟା ତପନ ଦାସ, ଶିକ୍ଷକ ସଂଘ ସମ୍ପାଦକ ବାଳ କୃଷ୍ଣ ନାଗ, କ୍ଷେତ୍ର ଜାଲ, ସରୋଜ ବୈଠାରୁ, ତରୁଣ ସୁନା, ରିନୁ ସାହୁ, ହୀରଣମୟୀ ପୃସେଠ ଓ ଅଜିତ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।