ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ: ମହିଳାଙ୍କ ବିକାଶ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜଳେଶ୍ୱରପୁର ପଞ୍ଚାୟତରେ ମହିଳାମାନଙ୍କ ବିକାଶ ପାଇଁ ମିଶନଶକ୍ତିର ନବନିର୍ମିତ ସଭାଗୃହକୁ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟିତ କରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ବିକାଶ କ୍ଷେତ୍ରରେ ମିଶନଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମତଦେଇଛନ୍ତି। ଜବାହରଲାଲ ନେହେରୁ ମହାବିଦ୍ୟାଳୟ କୁଆଁପାଳଠାରେ ନବନିର୍ମିତ ଗୃହର ଉଦ୍‌ଘାଟନ କରିବା ସହିତ କଲେଜ ପରିସରରେ ଜଗନ୍ନାଥ କ୍ୟାନସର ଫାଉଣ୍ଡେସନ ମୁମ୍ବାଇ ପକ୍ଷରୁ ଏକ ମାଗଣା କର୍କଟରୋଗ ନିରୁପଣ ଶିବିରକୁ ମନ୍ତ୍ରୀ ପ୍ରତାପ ଜେନା ପରିଦର୍ଶନ କରିଥିଲେ। ଏହି ଶିବିରରେ ମାହାଙ୍ଗାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ପୁରୁଷ ଓ ମହିଳାମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଜେନା ଚମ୍ପତିପୁରସ୍ଥିତ ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଶୁଭ ଉଦ୍‌ଘାଟନ କରିବା ସହିତ ୨୪ ନଂ ଡ୍ରେନେଜ୍‌କଟ୍ ଉପରେ ପୋଡାମରାଇ (ଜିରା) ପାଇକରାପୁର ଗ୍ରାମ ପଞ୍ଚାୟତର ଏକ ନୂତନ ସେତୁର ଶୁଭ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଚେୟାରମ୍ୟାନ୍ ଦୀପା ମଲ୍ଲିକ, ଉପାଧ୍ୟକ୍ଷା ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁଷ୍ମିତା ଦାସ, ସରପଞ୍ଚ ସୁଜାତା ମଲ୍ଲିକ, ସମିତିସଭ୍ୟା ରେବତୀ ସେଠୀ, ସିଡିପିଓ ପ୍ରମୋଦିନୀ ଦାଶ, ବ୍ଲକ୍ ଏସ୍‌.ଏଚ୍‌.ଜି. ଫେଡେରେସନ ସମ୍ପାଦକ ସୁସ୍ମିତା ମହାନ୍ତି, ହୃଷୀକେଶ ସ୍ୱାଇଁ, ଶରତ ମହାପାତ୍ର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ।