ବେକାରୀ ସମସ୍ୟା ଓ ମହଙ୍ଗା ମାଡ ନେଇ ଯୋଗୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ରାଜ୍ୟରେ ବେକାରୀ ସମସ୍ୟା ଓ ମହଙ୍ଗା ମାଡ ନେଇ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଭୁଲି ଯାଇଛନ୍ତି ଯୋଗୀ ଆଦିତ୍ୟନାଥ। ରାଜ୍ୟରେ ଲୋକଙ୍କୁ ଚାକିରି ଦେବା, ଖାଲି ପଡିଥିବା ପଦବୀ ପୂରଣ କରିବା, ଚାଷୀଙ୍କୁ ଆଖୁ, ଗହମ, ଧାନ ଓ ଆଳୁର ଉଚିତ ମୂଲ୍ୟ ପ୍ରଦାନ କରିବା, ବିଜୁଳି ଦର ହ୍ରାସ ନେଇ ପ୍ରତିଶ୍ରୁତି ଦେଇଥିଲେ ଯୋଗୀ ସରକାର। ହେଲେ ଏସବୁ ପ୍ରତିଶ୍ରୁତି ପୂରଣ କରିବାରେ ସରକାର ବିଫଳ ହେଉଛନ୍ତି ବୋଲି ଟୁଇଟ କରି କହିଛନ୍ତି ପ୍ରିୟଙ୍କା।

କେବଳ ସେତିକି ନୁହେଁ ଦରଦାମ ରାଜ୍ୟରେ ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଷ୍ଟିହୀନତା, ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅପହରଣ, ହତ୍ୟା ମାମଲା ଏବଂ ଦଳିତଙ୍କ ବିରୋଧରେ ଅପରାଧ ମାମଲାରେ ଉତ୍ତରପ୍ରଦେଶ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଆସନ୍ତା ବର୍ଷ ୟୁପି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ କଂଗ୍ରେସ ଏବେଠୁ ଆରମ୍ଭ କଲାଣି କସରତ। ନିର୍ବାଚନ ରଣନୀତି ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ଦଳ। ଦଳୀୟ ନେତାଙ୍କୁ ଧରି ଘନଘନ ବୈଠକ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା।