ଘରୋଇ ହସ୍ପିଟାଲ ନା’ରେ ଅଭିଯୋଗ : ଅସ୍ତ୍ରୋପଚାର ବେଳେ କାଢ଼ିନେଲେ କିଡନୀ

ଜାତୀୟ ମାନବାଧିକାରଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଢେଙ୍କାନାଳ,ଏନ୍ଏନ୍ଏସ୍ : ଢେଙ୍କାନାଳ ସହରରେ ଥିବା ଏକ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ ଚକ୍ରାନ୍ତକରି ଜଣେ ମହିଳାଙ୍କ କିଡନୀ ଚୋରିକରି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଗନ୍ଦିଆ ଥାନା ଖଙ୍କର ଗ୍ରାମର ଅଶ୍ୱିନୀ ପାଣିଙ୍କ ପତ୍ନୀ ବବିତା ପାଣି (୪୩)ଙ୍କ କିଡନୀ ଚୋରୀ ହୋଇଥିବାକୁ ନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୀଡ଼ିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ବବିତା ଅଭିଯୋଗ କରିଛନ୍ତି ଯେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଗତ ୨୦୧୫ ସେପ୍ଟେମ୍ବର ୧୫ ତାରିଖରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ସେ ଅଲଟ୍ରାସାଉଣ୍ଡ ମଧ୍ୟ କରାଇଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରେ ଗର୍ଭାଶୟ ଖରାପ ଥିବା ଜାଣିବାକୁ ପାଇଥିଲେ।

କିନ୍ତୁ ବବିତାଙ୍କର ଆର୍ôଥକ ଅବସ୍ଥା ଭଲ ନଥିବାରୁ ସେ କଟକରେ ନ କରି ଢେଙ୍କାନାଳର ଜଗନ୍ନାଥ ହସ୍ପିଟାଲରେ ୨୦ହଜାର ଟଙ୍କା ବ୍ୟୟରେ ନିଜର ଗର୍ଭାଶୟ ଅସ୍ତ୍ରୋପଚାର କରାଇଥିଲେ। ଏହାପରେ ସେପ୍ଟେମ୍ବର ୨୮ ତାରିଖ ଦିନ ଉକ୍ତ ଡାକ୍ତରଖାନାରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ଦୀର୍ଘଦିନ ପରେ ପୁନର୍ବାର ତାଙ୍କ ପେଟ ଏବଂ ପରିସ୍ରାରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଢେଙ୍କାନାଳକୁ ଆସି ଡ. ଶ୍ରୀ ରଥଙ୍କୁ ପରାମର୍ଶ କରିବା ସହ ଔଷଧ ନେଇ ଚିକିତ୍ସିତ ହେଉଥିଲେ। ଉକ୍ତ ଚିକିତ୍ସାର କୌଣସି ସୁଫଳ ନମିଳିବାରୁ ବବିତା ଗତ ଅକ୍ଟୋବର ୪ ତାରିଖରେ କଟକ ଯାଇ ଡ.ଏନ୍.ଆର ମିଶ୍ରଙ୍କ ପରାମର୍ଶ କ୍ରମେ ଆପେକ୍ସ ଡାଇଗ୍ନୋଷ୍ଟକକୁ ଯାଇ ଅଲଟ୍ରାସାଉଣ୍ଡ କରାଇବା ସମୟରେ ତାଙ୍କର ବାମପାଶ୍ୱର୍ କିଡନୀ ନଥିବାର ଜାଣିବାକୁ ପାଇଥିଲେ।

ତଥାପି ଆଉ ୨ ଥର ଅଲଟ୍ରାସାଉଣ୍ଡ କରି କିଡନୀ ନଥିବାର ସ୍ପଷ୍ଟ ପ୍ରମାଣ ପାଇଥିଲେ। ଅନ୍ୟପଟେ ବବିତା ତାଙ୍କର କିଡନୀ ହରାଇବା ଦ୍ୱାରା ସଂକ୍ରମିିତ ହୋଇ କ୍ୟାନସର ରୋଗରେ ପିଡୀତ ହୋଇ ସେ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ବବିତା ମଧ୍ୟ ଜାତୀୟ ମାନବ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ତାଙ୍କର ଚିକିତ୍ସା ସମୟରେ କିଡନୀକୁ କୌଶଳ କ୍ରମେ କାଢି ନିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଏହି ଘଟଣାକୁ ନେଇ ବବିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ପରେ ଟାଉନଥନାରେ ଏକ ଲିଖିତ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବବିତା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଘରୋଇ ନର୍ସିଂହୋମ ଓ ଅପରେସନ କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା।