୨୯ ପର୍ଯ୍ୟନ୍ତ ରେଳସେବା ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୂର୍ବତଟ ରେଳପଥରେ ସଂରକ୍ଷା ସମ୍ବନ୍ଧିତ ଆଧୁନିକୀକରଣ କାର୍ଯ୍ୟ ଚାଲୁ ରହିଥିବା ହେତୁ ଚଳିତ ମାସ ଶୁକ୍ରବାର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଅନେକ ରେଳସେବା ବାତିଲ ହେବ।

ରେଳପଥ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୩, ୨୦ ଓ ୨୭ ତାରିଖରେ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ବିଶାଖାପାଟଣାଠାରୁ ବାତିଲ ହୋଇଛି। ସେହିଭଳି ରାଜ୍ୟରେ ମଧ୍ୟ ଦେଇ ଗସ୍ତ କରୁଥିବା ଅନ୍ୟ ପ୍ରମୁଖ ପାସେଞ୍ଜର ସେବା ମଧ୍ୟ ପ୍ରଭାବିତ ହେବ। ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଉଭୟ ରାଉରକେଲା ଓ ପୁରୀରୁ, ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଦୁର୍ଗଠାରୁ ମାର୍ଚ୍ଚ ୧୪, ୨୧ ଓ ୨୮ ତାରିଖରେ ବାତିଲ ହେବା ନେଇ ପୂର୍ବତଟ ରେଲପଥ ଘୋଷଣା କରିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଓ ନୟାଗଡ଼ ମଧ୍ୟରେ ସଦ୍ୟ ଚାଲୁ ହୋଇଥିବା ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସକୁ ମଧ୍ୟ ଉପରୋକ୍ତ ଦିନଗୁଡ଼ିକ ପାଇଁ ବାତିଲ କରାଯାଇଛି।

ଏହାବ୍ୟତୀତ ବ୍ରହ୍ମପୁର ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଉଭୟ ବିଶାଖାପାଟଣା ଓ ବ୍ରହ୍ମପୁରରୁ, ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଉଭୟ ପୁରୀ ଓ ଗୁଣପୁର ପାଶ୍ୱର୍ରୁ, ପଲାସା-ଗୁଣପୁର-ପଲାସା ପାସେଞ୍ଜର ଉଭୟ ପଲାସା ଓ ଗୁଣପୁର ପାଶ୍ୱର୍ରୁ ମାର୍ଚ୍ଚ ୧୫, ୨୨ ଓ ୨୯ ତାରିଖରେ ଗସ୍ତ କରିବ ନାହିଁ। ତେବେ ଉପରୋକ୍ତ ଦିନଗୁଡ଼ିକରେ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାଶ୍ୱର୍ରୁ, ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପାଶ୍ୱର୍ରୁ ଓ ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ନୟାଗଡ଼ ଟାଉନରୁ ଉପରୋକ୍ତ ଦିନରେ ବାତିଲ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ସଂରକ୍ଷା ସମ୍ବନ୍ଧିତ କାର୍ଯ୍ୟ ପାଇଁ ଆଗାମୀ ଦିନରେ ମଧ୍ୟ ଅନେକ ପ୍ରମୁଖ ଟ୍ରେନ ସେବା ବାତିଲ ହେବା ନେଇ ସମ୍ଭାବନା ରହିଛି।