ଛତ୍ରପୁର ଉପକାରାଗାରରୁ କଏଦୀ ଫେରାର

ଛତ୍ରପୁର,ଏନ୍ଏନ୍ଏସ୍: ଛତ୍ରପୁର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଛି। କଏଦୀ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗ୍ରାମର କବିରାଜ ବେହେରା। ଦୁଷ୍କର୍ମ ଅଭିଯୁକ୍ତ ପୁରୁଷୋତ୍ତମ ଗତ ୨୦୧୯ ମାର୍ଚ୍ଚରେ ଫେରାର ଥିଲା। ପୁଲିସ କେସନଂ.୪୧/୧୯ରେ ମାମଲା ରୁଜୁ କରିଥିଲା। ପୁଲିସ ଅଭିଯୁକ୍ତକୁ ଗତ ଡିସେମ୍ବର ୭ ତାରିଖରେ ଗିରଫ କରି ଛତ୍ରପୁର ଜେଲକୁ ପଠାଇଥିଲା। କବିରାଜ ଗିରଫ ହୋଇ ଗତ ୭ ତାରିଖ ଠାରୁ ଛତ୍ରପୁର ଉପକାରାଗରରେ ବିଚାରଧୀନ କଏଦୀ ଭାବେ ରହିଥିଲେ।

ଗତକାଲି ଜେଲର ସିସିଟିଭି ଫୁଟେଜରେ ସନ୍ଧ୍ୟା ୫ଟାରୁ କବିରାଜ ଦେଖାଯାଇନଥିଲା। ଏଣୁ ଜେଲ କର୍ମଚାରୀ ଘଟଣାର ତଦନ୍ତ କରିଥିଲେ। ସୂଚନା ପାଇଁ ଜେଲ ଡିଆଇଜି ରଘୁନାଥ ମାଝୀ ଜେଲରେ ପହଞ୍ଚ ତଦନ୍ତ କରିଥିଲେ। ଡିଆଇଜି ମାଝୀଙ୍କୁ ପଚରାଯରିବାରୁ କବିରାଜ ପଛପଟ ପାଚେରୀ ଡେଇଁ ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାର ତଦନ୍ତ ଚାଲିଛି। ଛତ୍ରପୁର ଏସ୍ଡିପିଓ ଗୌତମ କିଶାନ, ଥାନାଧିକାରୀ ପିୟୁଷ ରଞ୍ଜନ ଛୋଟରାଏ, ବରିଷ୍ଠ ଜେଲ ଅଧୀକ୍ଷକ ଏ.କେ. ସିଂ. ଛତ୍ରପୁର କାରାଧିକାରୀ ଶୁଭଲକ୍ଷ୍ମୀ ବିଶ୍ୱାଳ ତଦନ୍ତ ଜାରି ରଖିଛନ୍ତି। ଏହି ଉପକାରାଗାରରେ ୧୬୧ଜଣ କଏଦୀ ରହୁଛନ୍ତି।