କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ନାମାଙ୍କନ ଭରିଲେ ଥରୁର, ଖଡଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିଛନ୍ତି କଂଗ୍ରେସର ୩ ତୁଙ୍ଗନେତା । ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର, ଭେଟେରାନ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଝାଡ଼ଖଣ୍ଡ କଂଗ୍ରେସ ନେତା କ୍ରୀଷ୍ଣାନନ୍ଦ ତ୍ରିପାଠୀ ଦିଲ୍ଲୀସ୍ଥିତ ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ନାମାଙ୍କନ ଭରିବା ପୂର୍ବରୁ ଶଶି ଥରୁର ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାକୁ ନେଇ କ୍ରୀଷ୍ଣାନନ୍ଦ ତ୍ରିପାଠୀ କହିଛନ୍ତି, “ଏ ଦେଶ ଏକ ଚାଷୀ ପରିବାରର ପୁଅକୁ ଦେଖୁଛି ଯିଏ କି ବାୟୁସେନାରେ ଯୋଗ ଦେଇ ଦେଶର ସେବା କରିଛି, ଝାଡ଼ଖଣ୍ଡ ବିଧାନସଭାରେ ଉପମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛି । ମୁଁ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ମଧ୍ୟ ଲଢ଼ି ପାରିବି ।”

ଏହାପୂର୍ବରୁ ଅଶୋକ ଗେହେଲଟ ଓ ଦିଗବିଜୟ ସିଂହ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରୁ ଓହରିଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ରାଜସ୍ଥାନରେ ରାଜନୈତିକ ସଙ୍କଟ ଯୋଗୁଁ ଅଶୋକ ଗେହେଲଟ ଅଧ୍ୟକ୍ଷ ପଦ ନିର୍ବାଚନରୁ ଓହରି ଯାଇଥିଲେ । ଗତ ଗୁରୁବାର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ନେଇଥିଲେ । ଶୁକ୍ରବାର ସେ ନାମାଙ୍କନ ଭରିବେ ବୋଲି ଆଲୋଚନା ହେଉଥିଲା । ତେବେ ଦିଗବିଜୟ ସିଂହ ଏହି ନିର୍ବାଚନ ପାଇଁ ନାମାଙ୍କନ ଭରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।