ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭିତ୍ତିପ୍ରସ୍ତର ସ୍ଥାପନ ସହ ଭୂମିପୂଜନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ୯୭୧ କୋଟି ଟଙ୍କା ବ୍ୟୟ ବରାଦରେ ହେଉଥିବା ଏହି ସଂସଦ ଭବନ ୨୦୨୨ ସୁଦ୍ଧା ସମାପ୍ତ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସୁପ୍ରିମ କୋର୍ଟ ପକ୍ଷରୁ ଏହା ଉପରେ ରୋକ ଲଗାଯାଇଛି। ତେବେ କେବଳ ଶିଳାନ୍ୟାସ ପାଇଁ ଅନୁମତି ଦେଇଛନ୍ତି। ପ୍ରସ୍ତାବିତ ପ୍ରକଳ୍ପ ଅନୁସାରେ ନୂତନ ସଂସଦ ଭବନ ବର୍ତ୍ତମାନ ଠାରୁ ଆକାରରେ ତିନି ଗୁଣ ହେବ ଏବଂ ରାଜ୍ୟସଭା ବହୁଗୁଣିତ ହେବ ବୋଲି ଜଣାପଡିଛି। ପାଖାପାଖି ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ଏହି ନୂଆ ଭବନ ହେବ ବୋଲି ସୂଚନା ରହିଛି।
ତେବେ ଏହି କାର୍ଯ୍ୟକ୍ରମରେ କିଛି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଆଜି ଦିନ ୧୨ଟା ୫୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଦିନ ୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ୧ଟା ୩୦ରେ ସର୍ବଧର୍ମ ପ୍ରାର୍ଥନା କରାଯିବ ଓ ଦିନ ୨ଟା ୧୫ରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି।