ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,ଏନ୍ଏନ୍ଏସ୍: ପାକିସ୍ତାନୀ ସେନା ପୁଣି ଥରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ରାତି ୧୦ଟାରେ ନିୟନ୍ତ୍ରଣ ରେଖା ସନ୍ମିକଟ ଗାଁ ମେନକୋଟ, କୃଷ୍ଣାଘାଟୀରେ ଗୁଳିବର୍ଷା କରିଛି। ଫଳରେ ସୀମା ନିକଟରେ ରହୁଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ଗୁଳି ଭୟରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା ବେଳେ ଭାରତୀୟ ସେନା ଘଟଣାସ୍ଥଳକୁ ଯାଇ କଡ଼ା ଜବାବ ଦେଇଛନ୍ତି।

ସେହିପରି ୪ ଦିନ ତଳେ ପାକିସ୍ତାନୀ ସେନା ତରଫରୁ ଶାହପୁର, କୀରନୀ, କସବାରେ ମଧ୍ୟ ଗୁଳିବର୍ଷା ହୋଇଥିଲା। ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେବା ସହିତ ସେହି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ।

ଜାମ୍ମୁ କାଶ୍ମୀରର ପୁଲୱାମାରେ ଗତକାଲି ପୂର୍ବାହ୍ଣରେ ଆତଙ୍କୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନେ ସ୍ଥାନୀୟ ନିବାସୀ ଥିଲେ, ଯେଉଁମାନେ କି ଅଲନ୍ଦର ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିଲେ। ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।