ଫୁଲବାଣୀ ପ୍ରାଥମିକ ବ୍ଲକ ଶିକ୍ଷକ ସଂଘର ଶପଥପାଠ ଉତ୍ସବ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଫୁଲବାଣୀ ବନାନୀ କଳା ସଙ୍ଗମ ସଭାଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ଏବଂ ଫୁଲବାଣୀ ବ୍ଲକ ଶିକ୍ଷକ ସଂଘର ନୂତନ ଭାବେ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଜିଲ୍ଲା ସଂଘର ଉପସଭାପତି ସନ୍ତୋଷ କୁମାର ଦିଗାଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକ ଉପସ୍ଥିତ ଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ନେତା ବଂଶୀଧର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଖଜୁରୀପଡ଼ା ବ୍ଲକ ନୂଆଁ ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁର ପ୍ରସାଦ ନାଏକ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥିଙ୍କ ଦ୍ୱାରା ନୂତନ କର୍ମକର୍ତ୍ତାଙ୍କୁ ଶପଥପାଠ କରାଯାଇଥିଲା । ପ୍ରଥମେ ସଭାପତି ଦିନେଶ କୁମାର ବେହେରା ଏବଂ ପରେ ଅନଙ୍ଗ ଦେହୁରୀ ସାଧାରଣ ସମ୍ପାଦକଭାବେ ଶପଥ ପାଠ କରିଥିଲେ । ପରେ ଅନ୍ୟ କର୍ମକର୍ତ୍ତାମାନେ ଶପଥପାଠ କରିଥିଲେ । କିଭଳି ଭାବେ ବ୍ଲକ ସଂଘ ଚଳେଇବେ ସେନେଇ ନୂତନ କର୍ମକର୍ତ୍ତାଙ୍କୁ ମୁଖ୍ୟଅତିଥି ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଶେଷରେ ଚୈତନ୍ୟ ସାହୁ ଧନ୍ୟବାଦ ଦେଇଥିଲେ ।