ଜିଲ୍ଲା କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା କୃଷକ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଟାଉନ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ସଂଘର ସମ୍ପାଦକ ଯଯାତି ବିଶ୍ୱାଳ ଓ ଆଇନ ପରାମର୍ଶଦାତା ବିଭୁତି ଗଙ୍ଗଦେବ ମଞ୍ଚାସିନ ରହି ଶିଳ୍ପବିହୀନ ଦେବଗଡ଼ ଜିଲ୍ଲାରେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବାକୁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲାରୁ ହାଇଟେକ ସର୍ଭେ ରଦ୍ଦ ବା ସଂଶୋଧନ କରିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା, କୃଷକ ଭବନ ପାଇଁ ଜମି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ହାତୀ ଉପଦ୍ରବର ସ୍ଥାୟୀ ନିରାକରଣ, ଲାଇମୁରା ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ, ୨୦୨୩ ମସିହା ଗଜା ମରୁଡ଼ି କ୍ଷୟକ୍ଷତି ଆକଳନ, ଧାନ ପଞ୍ଜିକରଣ ଅବଧି ବୃଦ୍ଧି, ସରକାରୀ ଜମିର ପଟ୍ଟା ବଣ୍ଟନ, ଧାନ ବିକ୍ରି ପରିମାଣ ଚଷୀ ପିଛା ୧୩ରୁ ୧୯ କ୍ୱିଣ୍ଟାଲ ପରିବର୍ତ୍ତେ ୨୦ରୁ ୨୫ କ୍ୱିଣ୍ଟାଲ କରାଯିବା, ଚେକ ଡ୍ୟାମ ଓ ଉଠା ଜଳସେଚନ ପଏଣ୍ଟ ସ୍ଥାପନ, ପ୍ରତ୍ୟେକ ଚାଷୀଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଓ ୨ ଶହ ୟୁନିଟ ବିଦ୍ୟୁତ ଛାଡ଼ ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ବିଜୟ କୁମାର ପ୍ରଧାନ, ତିଳେଇବଣି ବ୍ଲକ ସମ୍ପାଦକ ପ୍ରମୋଦ କୁମାର ସାହୁ, ଉପଦେଷ୍ଟା ଉପେନ୍ଦ୍ର କୁମୁରା, କାହ୍ନୁ ଚରଣ ପ୍ରଧାନ, ସୁଶାନ୍ତ କୁମାର ସାହୁ, ମୁନୀନ୍ଦ୍ର ଗଡ଼ନାୟକ ଓ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।