ଝାରସୁଗୁଡ଼ା ପୁରୁଣା ହସ୍ପିଟାଲ ନିକଟସ୍ଥ ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟତଃ ୨ଟି ବିଷୟ ଉପରେ ଆଲୋକପାତ କରାଯାଇଥିଲା । ପ୍ରଥମତଃ ଝାରସୁଗୁଡ଼ା ମଙ୍ଗଳବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରେ ଗଚ୍ଛିତ ରହୁଥିବା ଭିସେରା ଚୋରି ହେଉଛି । ଏନେଇ ଗତ ଡିସେମ୍ବର ୮ରେ ଝାରସୁଗୁଡ଼ା ଟାଉନ ଥାନାରେ ସିଡିଏମଓ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ଭିସେରାକୁ କେମିକାଲ ମଧ୍ୟରେ ରଖାଯାଇଥାଏ । ଏହି ଭିସେରାରୁ ମୃତ୍ୟୁ ସମ୍ପର୍କିତ ଅନେକ ତଥ୍ୟ ଜଣାପଡ଼ିଥାଏ । କିଛିଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ କାର୍ଯ୍ୟରତ ରୋଷେୟା ହତ୍ୟାକାଣ୍ଡର ଉନ୍ମୋଚନ ହେବା ଭୟରେ କେହି ଏହି ଭିସେରାକୁ ଯୋଜନା ମୁତାବକ ଚୋରି କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ୫ରୁ ଊର୍‌ଦ୍ଧ୍ୱ ଭିସେରା ଗାୟବ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ଏନେଇ ପୁଲିସକୁ ଲିଖିତ ଅଭିଯୋଗ କରାଯାଇଥିବା ସିଡିଏମଓ ଡ଼ା.ଡୋଲାମଣି ପଟେଲ କହିଛନ୍ତି । ଅନ୍ୟପଟେ ବାରମ୍ବାର ମଙ୍ଗଳବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ଭଙ୍ଗାଯିବା ଓ ଚୋରି ହେବା ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ଜଣାପଡୁଥିବା ବିଜେପି ଅଭିଯୋଗ କରିଛି । ଦ୍ୱିତୀୟତଃ ନକଲି ଔଷଧ କାରବାର ବିରୋଧରେ ସାମ୍ବଦିକଙ୍କ ମାଧ୍ୟମରୁ ଜଣାପଡ଼ିଛି । ଏହି କାରବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜାଣତରେ ହେଉଛି କି ବୋଲି ବିଜେପି ପ୍ରଶ୍ନ କରିଛି? ଉକ୍ତ ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ତଦନ୍ତ ଆରମ୍ଭ କରନ୍ତୁ ବୋଲି ଯୁବ ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁନିଲ ପଣ୍ଡା, ବିମଳେନ୍ଦୁ ଭୋଳ, ପ୍ରେମ ସେନ ରାୟ, ପୁରୁଷୋତ୍ତମ ଥିରାନୀ, ରବି ରାଓ, ରାଜେନ୍ଦ୍ର ସା ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।