କରୋନାରୁ ସୁସ୍ଥ ହେଲେ ବ୍ରାଜିଲ୍ ରାଷ୍ଟ୍ରପତି

ବ୍ରାଜିଲ୍,ଏଜେନ୍ସି: ବ୍ରାଜିଲ୍ର ରାଷ୍ଟ୍ରପତି ଜାଏର ବୋଲସୋନାରୋ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ବୋଲସୋନାରୋ ଜୁଲାଇ ୭ରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ କୋଭିଡ୍ ନିୟମ ଅନୁଯାୟୀ ସମୟ ବ୍ୟବଧାନରେ ଦୁଇଥର ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲେ ମଧ୍ୟ ତାହା ବାରମ୍ବାର ପଜିଟିଭ୍ ଆସିଥିଲା। ଗତ ଗୁରୁବାର ତାଙ୍କର ତୃତୀୟ ଥର ପାଇଁ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

ଶନିବାର ତାଙ୍କର ଚତୁର୍ଥ ଥର ପାଇଁ କରାଯାଇଥିବା କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି। ଏନେଇ ସେ ହାଇଡ୍ରୋକ୍ଲୋରୋକୁଇନ୍ ଡବା ସହ ଏକ ଫଟୋ ନିଜ ଫେସ୍ବୁକ୍ ପୃଷ୍ଠାରେ ପୋଷ୍ଟ କରିଛନ୍ତି।