ଗୁଲାମ ଅଲିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ-କାଶ୍ମୀର ଗୁର୍ଜର ମୁସଲିମ ସମ୍ପ୍ରଦାୟର ନେତା ଗୁଲାମ ଅଲି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା ୧ର ଉପଧାରା(କ) ବଳରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ତେବେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରର ଜଣେ ଗୁର୍ଜର ସମ୍ପ୍ରଦାୟ ମୁସଲିମ୍ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।

ରାଜ୍ୟସଭାର ଜଣେ ମନୋନୀତ ସଦସ୍ୟ ଅବସର ନେବା ପରେ ଉକ୍ତ ଆସନଟି ଖାଲି ପଡିଥିଲା । ଉକ୍ତ ଆସନରେ ରାଷ୍ଟ୍ରପତି ଗୁଲାମ ଅଲିଙ୍କୁ ନିଯୁକ୍ତ କରିଛନ୍ତି । ୨୫୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୮ ସଦସ୍ୟ ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥାନ୍ତି । ହେଲେ ୧୨ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା ଚୟନ କରାଯାଏ । ବିଜେପି ଆଇଟି ଶାଖା ମୁଖ୍ୟ ଅମିତ ମାଲବୀୟ ଗୁଲାମ ଅଲିଙ୍କୁ ନିଯୁକ୍ତିକୁ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ମାଲବୀୟ ଟ୍ବିଟ୍ କରିଛନ୍ତି ଯେ, ”ଭାରତ ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଜମ୍ମୁ-କଶ୍ମୀରର ଗୁର୍ଜର ମୁସଲିମ୍ ଗୁଲାମ ଅଲିଙ୍କୁ ରାଜ୍ୟସଭାକୁ ନିଯୁକ୍ତ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ଏହି ସମୁଦାୟକୁ ସଠିକ୍ ମାନ୍ୟତା ଦିଆଯାଇ ନଥିଲା । ସେମାନେ ସବୁ ପ୍ରକାର ସାମାଜିକ ନ୍ୟାୟରୁ ବଞ୍ଚିତ ହେଉଥିଲେ ।”

୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଏଥିସହ ଜମ୍ମୁ ଏକଂ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତର୍ଭୁକ୍ତ କରାଯାଥିଲା । କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳୁଥିବା ଜିତେନ୍ଦ୍ର ସିଂହ ରାଜ୍ୟସଭାର ନୂଆ ସଦସ୍ୟ ରୂପେ ଅଲିଙ୍କ ସଦସ୍ୟତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି, ” ଗୁଲାମ ଅଲି ଖଟାନା ରାଜ୍ୟସଭା ସଦସ୍ୟତା ପାଇଁ ଯୋଗ୍ୟ ଥିଲେ । ରାଷ୍ଟ୍ର ନିର୍ମାଣରେ ସର୍ବୋକୃଷ୍ଟ ଭୂମିକା ଗ୍ରହଣ ପାଇଁ ଆପଣଙ୍କୁ ଲମ୍ବା ସମୟ ପରେ ଏହି ସୁଯୋଗ ମିଳିଛି ।”