ଆଜି ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଫାଇଟ

ହାଇଦ୍ରାବାଦ,ଏଜେନ୍ସି: ଚଳିତ ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି (ରବିବାର) ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଫାଇନାଲ ମ୍ୟାଚ ଖେଳାଯିବ । ଟାଇଟଲ ଲଢେଇ ପାଇଁ ଉଭୟ ଦଳ ପ୍ରସ୍ତୁତ । ଶେଷଥର ପାଇଁ ୨୦୧୨ରେ ଟାଇଟଲ ହାତେଇଥିବା ପାକିସ୍ତାନ ୧୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଚଳିତ ବର୍ଷ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି । ସେହିପରି ୫ ଥର ଏସିଆ କପ ଜିତିଥିବା ଶ୍ରୀଲଙ୍କା ମଧ୍ୟ ଷଷ୍ଠ ଥର ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଟ୍ରଫି ହାତେଇବା ଏକ ବଡ ସଫଳତା ହେବ।

ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ହେବା ଫ୍ୟାନ୍ସ ଆକଳନ କରୁଥିଲେ ହେଲେ ଶ୍ରୀଲଙ୍କା ସମସ୍ତଙ୍କ ଚକମା ଦେଇ ଜବରଦସ୍ତ କମବ୍ୟାକ କରିଥିଲା । ଲିଗ ପର୍ଯ୍ୟାୟରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲା । ଲିଗ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନଠୁ ପରାସ୍ତ ହୋଇଥିଲା ଶ୍ରୀଲଙ୍କା । ଏହାପରେ ଜବରଦସ୍ତ କମବ୍ୟାକ କରିଥିଲା ଦଳ ।

ସୁପର ଫୋର ରାଉଣ୍ଡରେ ଗୋଟିଏ ବି ମ୍ୟାଚ ହାରି ନଥିଲା । ସୁପର ଫୋରରେ ଅପରାଜେୟ ରହିଥିଲା ଶ୍ରୀଲଙ୍କା । ଶେଷ ସୁପର ଫୋର ମ୍ୟାଚରେ ପାକିସ୍ତାନକୁ ହରାଇଥିଲା ଦଳ । ତେଣୁ ଆଜି ଫାଇନାଲ ଫାଇଟରେ ଶ୍ରୀଲଙ୍କା ପଲ୍ଲା ଭାରି ରହିଛି । ଦଳରେ କେହି ଷ୍ଟାର ଖେଳାଳି ନଥିଲେ ବି ଶକ୍ତିଶାଳୀ ଦଳ ଭାରତ ଓ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା । ଦଳର ଏ ବିଜୟ ପଛରେ ଦଳଗତ ପ୍ରଦର୍ଶନ ସହାୟ ହୋଇଥିଲା । ସୁପର ଫୋର ରାଉଣ୍ଡର ସମସ୍ତ ମ୍ୟାଚ ଜିତିବା ପରେ ଦଳର ପ୍ରତି ପ୍ଲେୟାରଙ୍କ ମନୋବଳ ଦୃଢ ରହିିଛି । ପାକିସ୍ତାନକୁ ହରାଇ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଦଳ । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଦେଶବାସୀଙ୍କ ପାଇଁ ଟ୍ରଫି ଏକ ଉପହାର ହେବ ।

ସେପଟେ ସୁପର ଫୋର ରାଉଣ୍ଡ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ପାକିସ୍ତାନ । ଦଳର ପ୍ରତ୍ୟେକ ଖେଳାଳି ଫିଟ ଓ ଫାଇନ ଅଛନ୍ତି । ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟରେ ଭାରତଠୁ ପରାସ୍ତ ହୋଇଥିଲା ପାକିସ୍ତାନ । ମାତ୍ର କମବ୍ୟାକ କରି ଫାଇନାଲରେ ପ୍ରବେଶ କରିଛି ଦଳ । ଆଜିର ମୁକାବିଲାରେ ଶ୍ରୀଲଙ୍କାକୁ ହରାଇବା ନେଇ ଦଳ ପାଖରେ ଯଥେଷ୍ଟ ସାମର୍ଥ ଅଛି । ଅଧିନାୟକ ବାବର ଆଜମ, ମହମ୍ମହ ରିଜୱାନ, ମହମ୍ମଦ ନୱାଜଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ ।