ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ

କେନ୍ଦୁଝର,ଏନ୍ଏନ୍ଏସ୍: ପାହାଡିଆ ଅଞ୍ଚଳରେ ରାସ୍ତା ନଥିବାରୁ ୨କିଲୋମିଟର ପର୍ଯ୍ୟନ୍ତ ଆସନ୍ନ ପ୍ରସବାଙ୍କୁ ତାଙ୍କର ସମ୍ପର୍କୀୟମାନେ ଖଟିଅରେ ବୋହିଲେ। ରାସ୍ତାରେ ଯିବା ସମୟରେ ତାଙ୍କର ପ୍ରସବ ହୋଇଥିଲା। ସେଠାରେ ସେ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ପରେ ମା’ ଓ ଛୁଆକୁ ଡାକ୍ତରଖାନା ନିଆଯାଇଛି।

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଜୋଡା ଖଣି ଅଞ୍ଚଳ ଲହଣ୍ଡା ମୁଣ୍ଡା ସାହିର ଶୁକଲାଲ ମୁଣ୍ଡାଙ୍କ ସ୍ତ୍ରୀ ମେଚ ମୁଣ୍ଡାଙ୍କୁ ଶୁକ୍ରବାର ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଜନନୀ ଏକ୍ସପ୍ରେସକୁ ଡାକିଥିଲେ। କିନ୍ତୁ ଉକ୍ତ ଗାଁକୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଫଳରେ ପରିବାର ଲୋକେ ବାଧ୍ୟହୋଇ ଆସନ୍ନ ପ୍ରସବା ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଉଥିଲେ। ସେହି ସମୟରେ ବାଟରେ ତାଙ୍କର ପ୍ରସବ ହୋଇଥିଲା। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିବା ଜଣାଯାଇଛି।