ରାସ୍ତା ଖରାପ ଯୋଗୁଁ ଦବିଲା ଆମ୍ବୁଲାନ୍ସ : ଆସିପାରିଲାନି ଆମ୍ବୁଲାନ୍ସ, ଜଙ୍ଗଲରେ ପ୍ରସବ

ମାଲକାନଗିରି,ଏନ୍ଏନ୍ଏସ୍: ରାସ୍ତା ଖରାପ ଯୋଗୁଁ ଦବିଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସ ଠିକ୍ ସମୟରେ ପ୍ରମୁଖ ସ୍ଥାନରେ ନପହଞ୍ôଚବାରୁ ଏକ ଜଙ୍ଗଲ ଭିତରେ ଜଣେ ଗର୍ଭବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ଗୁପାଗୁଡ଼ା ଗ୍ରାମରେ। ଏହି ଗାଁର ଲକ୍ଷ୍ମଣ ଗୋଲରୀଙ୍କ ଗର୍ଭବତୀ ପତ୍ନୀ କାଶନୀ ଗୋଲରୀ(୩୭)ଙ୍କ ପ୍ରସବ ବେଦନା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ରାସ୍ତା ଖରାପ ଥିବାରୁ ଗ୍ରାମଠାରୁ ୪ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଚକ ମାଟିରେ ଦବି ଯାଇଥିଲା। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଆଶା କର୍ମୀ ଓ ସ୍ଥାନୀୟ ମହିଳାମାନେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣୁଥିବା ବେଳେ ଗ୍ରାମଠାରୁ କିଛି ଦୂରରେ ଜଙ୍ଗଲିଆ ରାସ୍ତାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣି ସେଠାରୁ ପ୍ରଥମେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ଉଭୟ ମା’ ଓ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା। ଦିନକୁ ଦିନ ଏହି ଜନନୀ ଯନ୍ତ୍ରଣା ବଢୁଥିବା ବେଳେ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। କେଉଁଠି ଗର୍ଭବତୀଙ୍କ ଚିକିତ୍ସା କରିବା ପାଇଁ ଡାକ୍ତର ନାହାନ୍ତି ତ କେଉଁଠି ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ôଚ ପାରୁନି ତ ପୁଣି ଆଉ କେଉଁଠି ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ମଝି ବାଟରେ ଦବି ଯାଉଛି। ଫଳରେ କେହି ଗର୍ଭବତୀ ବାଟରେ ପ୍ରସବ କରୁଥିବା ବେଳେ ଆଉ କେହି ଜଙ୍ଗଲରେ ପ୍ରସବ କରୁଛନ୍ତି ତ ଆଉ କେହି ମୃତ୍ୟୁମୁଖକୁ ଠେଲି ହେଇଯାଉଛନ୍ତି।