ସୁନ୍ଦରଗଡ଼,ଏନ୍ଏନ୍ଏସ୍: ବିକାଶର ନଗ୍ନ ଚିତ୍ର ପୁଣି ଆଉ ଥରେ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଗାଁକୁ ରାସ୍ତା ନଥିବା ଯୋଗୁଁ ଖଟରେ ବୁହା ହୋଇ ୨ କିଲୋମିଟର ଆଣିଲା ପରେ ଆମ୍ବୁଲାନ୍ସ ରେ ମେଡିକାଲ ଆସିଲେ ଜଣେ ୬ ମାସର ଗର୍ଭବତୀ ମହିଳା । ଘଟଣାଟି ହେଉଛି ଲେଫ୍ରିପଡା ବ୍ଲକ ସରଫଗଡ଼ ପଞ୍ଚାୟତ ର ହାତୀଟୁକୁ ଗାଁର । ଗାଁ ର ଜଣେ ଗର୍ଭବତୀ ମହିଳା ଏମ୍ବ୍ରିତା ଆଇନ୍ଦ ୬ ମାସର ଗର୍ଭବତୀ ଥିବା ବେଳେ ଆଜି ସକାଳେ ଘରେ ରୋଷେଇ କରୁଥିବା ବେଳେ ଡିବିରି ରୁ ତାଙ୍କ ପଣତ ରେ ନିଆଁ ଲାଗିଯାଇଥିଲା ।
ସେହି ନିଆଁ ରେ ତାଙ୍କ ଗୋଡ ପୋଡିଯିବା ପରେ ତାଙ୍କୁ ଘର ଲୋକ ଉଦ୍ଧାର କରି ମେଡିକାଲ ନେବା ପାଇଁ ୧୦୨ ଆମ୍ବୁଲାନ୍ସ ଡାକିଥିଲେ । ତେବେ ସେହି ଗାଁକୁ ଯିବା ପାଇଁ ରାସ୍ତା ନାହିଁ ଏହା ସହିତ ଚଲା ବାଟ ମଝିରେ ଏକ ନାଳ ମଧ୍ୟ ପଡେ ତେଣୁ ଆମ୍ବୁଲାନ୍ସ ସେହି ଗାଁକୁ ପହଁଚି ନ ପାରି ନିକଟ ଗାଁରେ ଅଟକି ଯାଇଥିଲା । ବାଧ୍ୟ ହୋଇ ଘର ଲୋକ ଏବଂ ସେଠାକାର ସମିତି ସଭ୍ୟ ଅମୀର ନାଏକ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ରାସ୍ତା ଖଟରେ ବୋହି ଆମ୍ବୁଲାନ୍ସ ପର୍ୟ୍ୟନ୍ତ ଆଣିଥିଲେ । ଲେଫ୍ରିପଡା ବ୍ଲକର ସରଫଗଡ଼ ପଞ୍ଚାୟତ ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ଏମିତି ଅନେକ ଗାଁକୁ ଆଜି ବି ରାସ୍ତାଟିଏ ନାହିଁ ।