ସୁକୁମା ପୁଲିସ ଦ୍ୱାରା ୧୪ ଶିଶୁ ଶ୍ରମିକ ଉଦ୍ଧାର,୨ ଦଲାଲ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲା ପୁଲିସ ଦ୍ୱାରା ମାଲକାନଗିରି ଜିଲ୍ଲାର ୧୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଉଦୟଗିରିର ୧୪ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶର ଜମିରୁ ଲଙ୍କା ତୋଳିବାକୁ ନେଉଥିବା ବେଳେ ୨ ଜଣଙ୍କୁ ସୁକୁମା ପୁଲିସ ଗିରଫ କରିଛି। ଏଥିସହ ୧୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପରେ ସୁକୁମା ପୁଲିସ ଉଦ୍ଧାର ଶ୍ରମିକମାନଙ୍କୁ ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛି। ସେଠାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ହସ୍ତାନ୍ତର କରାଯାଇଛି।

ଉଦ୍ଧାର ହୋଇଥିବା ୧୪ ଜଣଙ୍କ ମଧ୍ୟରେ ୪ ଜଣ ବାଳକ ଓ ୧୦ ଜଣ ବାଳିକା ଅଛନ୍ତି। ଏଠାକୁ ଆଣିବା ପରେ ଜିଲ୍ଲା ମଙ୍ଗଳ କମିଟି ନିକଟରେ ହସ୍ତାନ୍ତର କରାଯିବ ଓ ସେମାନଙ୍କ ପରିବାରର ଶ୍ରମ କାର୍ଡ ଅଛି କି ନାହିଁ ତଦନ୍ତ କରାଯାଇ, ସେମାନଙ୍କୁ କାର୍ଡ ପ୍ରଦାନ କରାଯିବ। ଏଥିସହ ସରକାରଙ୍କ ଥଇଥାନ ଯୋଜନା ଅନୁଯାୟୀ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ଦଲାଲଙ୍କଠାରୁ ୨୦ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।