ଥମୁନି ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଆସନ୍ନ ପ୍ରସବା

କୋରାପୁଟ,ଏନ୍ଏନ୍ଏସ୍: ପଛୁଆ ଅଞ୍ଚଳର ବିକାଶ ପାଇଁ ସରକାର ଯେତେ ଯୋଜନା କାର୍ଯ୍ୟକାରୀ କଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଏବେବି ଅନେକ ସ୍ଥାନକୁ ସବୁ ଦିନିଆ ରାସ୍ତା ଓ ପୋଲ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା ଓ ନଦୀ ନାଳରେ ପୋଲ ନଥିବାରୁ ବିଭିନ୍ନ ସମୟରେ ରୋଗୀ ଓ ଗର୍ଭବତୀ ଖଟ କିମ୍ବା କାଉଡିରେ ଭାର ହୋଇ ବୁହା ହେଉଥିବା ଦେଖାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ। ନନ୍ଦପୁର ବ୍ଲକ୍ ରାଇସିଂ ପଞ୍ଚାୟତ ଦେବସାନ ଗ୍ରାମର ପ୍ରଶାନ୍ତ ଖରାଙ୍କ ସ୍ତ୍ରୀ ଖତେ ଖରାକୁ ଗୁରୁବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା।

ଗ୍ରାମର ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ବାଟରେ ଥିବା ନଦୀରେ ପୋଲ ନଥିବାରୁ ଗାଁକୁ ପହଞ୍ଚି ପାରିନଥିଲା। ଗ୍ରାମରୁ ୩ କିଲୋମିଟର ଦୂର ଏକ ସ୍ଥାନରେ ୧୦୮ ଅପେକ୍ଷା କରି ରହିବା ପରେ ପ୍ରଶାନ୍ତ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ପତ୍ନୀ ଖତେକୁ ଏକ ଖଟରେ ଭାର କରି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଆସନ୍ନ ପ୍ରସବା ଖତେକୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଯାଇଥିଲା। ପ୍ରସବ ପରେ ଉଭୟ ମାଁ ଓ ନବଜାତକ ସୁସ୍ଥ ରହିଥିବା ଜଣାପଡିଛି।