ରାୟଗଡା,ଏନ୍ଏନ୍ଏସ୍: ସରକାରଙ୍କ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛା ଶକ୍ତିର ଅଭାବ। ସରକାରଙ୍କ ଏତେ ସବୁ ଯୋଜନା ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନିରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା। ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଖବର ପରେ ମଧ୍ୟ ପ୍ରତିକାରର ବ୍ୟବସ୍ଥା ହେଉନାହିଁ। ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ ଯୋଡ଼ିହେଉଛି କାଶୀପୁର ବ୍ଲକରେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଝିରିଖୋଲ ଗ୍ରାମରେ।
ଉକ୍ତ ଗ୍ରାମର ସନ୍ତୋଷ ଝୋଡିଇଙ୍କ ସ୍ତ୍ରୀ ଲିଲି ଝୋଡିଆ (୧୮) ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଗାଁ’କୁ ପକ୍କା ସଡକ ନଥିବାରୁ ଆମୁଲାନ୍ସ ଗ୍ରାମକୁ ଯାଇପାରିନଥିଲା। ଫଳରେ ଆମ୍ବୁଲାନ୍ସଟି ଗ୍ରାମ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକି ରହିଥିଲା। ୧୦୨ ଆମ୍ବୁଲେନ୍ସ ଚାଳକ ପରୀକ୍ଷିତ ନାଏକଙ୍କ ସହାୟତାରେ ଆଶାଦିଦି ପରିବାର ସଦସ୍ୟଙ୍କ ସହ ୨ କିଲୋମିଟର ଗର୍ଭବତୀଙ୍କୁ ଖଟିଆରେ ପଥୁରିଆ ପାହାଡିଆ ରାସ୍ତା ପାର କରି ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।