ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ବିପତ୍ତି ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସାଉଥ୍ ଆକ୍ଟ୍ରେସ ପ୍ରଣୀତା ସୁଭାଷ। ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ନାୟିକା ପ୍ରଣୀତା ଦୁର୍ଦ୍ଦଶାରେ ଥିବା ଅସହାୟ, ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ମାତ୍ର ୨୧ ଦିନ ମଧ୍ୟରେ ସେ ୭୫ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି। ନିକଟରେ ପ୍ରଣୀତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ପ୍ରଣୀତା ରୋଷେଇ କରୁଥିବା ଓ ଖାଦ୍ୟ ପ୍ୟାକିଂ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳୁଛି, ପ୍ରଣୀତା ମୁହଁରେ ମାସ୍କ ପିନ୍ଧି ଖାଦ୍ୟ ପ୍ରସ୍ତୁତିରେ ଲାଗିଛନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଥିବା କିଛି ଟିମ୍ ସଦସ୍ୟଙ୍କ ଫଟୋ ମଧ୍ୟ ରହିଛି। ପ୍ରଣୀତା ନିଜେ ଏହି କାର୍ଯ୍ୟରେ ସକ୍ରିୟ ଥିବାବେଳେ ଏହି କାମ ଆଗକୁ ବଢ଼ାଇବା ପାଇଁ ପାଣ୍ଠି ମଧ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ତାଙ୍କୁ ଅନ୍ୟମାନେ ସହଯୋଗ କରୁଛନ୍ତି। ଖୁବ୍ ଶୀଘ୍ର ପ୍ରଣୀତା ଶିଳ୍ପା ସେଟ୍ଟୀ, ପରେଶ ରାୱଲ ଓ ମିଜାନ ଜାଫରି ଷ୍ଟାରର୍ ଫିଲ୍ମ ‘ହଙ୍ଗାମା ୨’ ଜରିଆରେ ହିନ୍ଦୀ ସିନେଶିଳ୍ପରେ କ୍ୟାରିୟର ଆରମ୍ଭ କରିବେ। ଏ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରିୟଦର୍ଶନ।