ସ୍ୱାସ୍ଥ୍ୟକର୍ମୀଙ୍କ ସପକ୍ଷରେ ଶିଳ୍ପା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଲୋକଙ୍କୁ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ହିଂସା, ଆକ୍ରମଣ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଏହି ଭିଡିଓରେ ସେ ନିବେଦନ କରିଛନ୍ତି। ‘ଜିତେଗା ଇଣ୍ଡିଆ ଜିତେଙ୍ଗେ ହମ’ ନାମକ ଅଭିଯାନ ପାଇଁ ତାଙ୍କୁ ନୋମିନେଟ କରିଥିବାରୁ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଶିଳ୍ପା। ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି, ‘ମୋତେ ନୋମିନେଟ କରିଥିବାରୁ ଓ ଏଭଳି ଅଭିନବ କାର୍ଯ୍ୟରେ ମୋତେ ସାମିଲ କରିଥିବାରୁ ପ୍ରିୟ ରବୀନା ଟଣ୍ଡନଙ୍କୁ ଧନ୍ୟବାଦ। ମୋର ସମସ୍ତ ପ୍ରିୟ ନାଗରିକ, ଅକ୍ଳାନ୍ତ ପରିଶ୍ରମ କରି ଆପଣଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାଙ୍କୁ ସମର୍ଥନ କରନ୍ତୁ। ଦୟାକରି ଏହି ଯୋଦ୍ଧାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରନ୍ତୁ। ମିଥ୍ୟା ଗୁଜବର ପର୍ଦ୍ଦାଫାସ୍ କରନ୍ତୁ ଏଭଳି ଭିତ୍ତିହୀନ ଗୁଜବ ପ୍ରଚାର ବନ୍ଦ କରିବା ପାଇଁ ନିଜ ସାଧ୍ୟମତେ ଚେଷ୍ଟା କରନ୍ତୁ। ବର୍ତ୍ତମାନ ମହାମାରୀ କରୋନା ବିରୋଧରେ ଏକାଠି ହେବା ସମୟ। ଆଶା କରୁଛି ଆପଣ ଓ ଆପଣଙ୍କ ପରିବାରର ସମସ୍ତେ ଭଲରେ ଥିବେ।