କରୋନା ଲଢ଼େଇରେ ପ୍ରାଣ ବଂଚାଇବା ପାଇଁ ଆସିଲା ‘ପ୍ରାଣବାୟୁ’ ଭେଣ୍ଟିଲେଟର

ନୂଆଦିଲ୍ଲୀ: ସମଗ୍ର ଦେଶରେ ସ୍ୱଦେଶୀ ଜିନିଷ ଆପଣାଇବାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି। ଭାରତ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ସବୁଠୁ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଛି। ଆଇଆଇଟି ରୁଡକୀ ଓ ଏମ୍ସ ହୃଷିକେଶର ମିଶ୍ରିତ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ ସ୍ୱଦେଶୀ ଭେଣ୍ଟିଲେଟର ‘ପ୍ରାଣବାୟୁ’ ପ୍ରସ୍ତୁତ କରାଯାଇଛି।

ଏମ୍ସ ହୃଷିକେଶର ନିର୍ଦ୍ଦେଶକ ରବିକାନ୍ତଙ୍କ କହିବା ମୁତାବକ, ଏହି ଭେଣ୍ଟିଲେଟରକୁ ପାଖାପାଖି ୨ ମାସ ପୂର୍ବରୁ ବିକଶିତ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଭେଣ୍ଟିଲେଟର ‘ପ୍ରାଣବାୟୁ’ ଏମ୍ସ ହୃଷିକେଶରେ କରାଯାଇଥିବା ପରୀକ୍ଷଣରେ ସଫଳ ସାବ୍ୟସ୍ତ ହୋଇଛି। ଖାସ୍ କରି କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଭେଣ୍ଟିଲେଟରର ମୂଲ୍ୟ ୨୫ରୁ ୩୦ ହଜାର ମଧ୍ୟରେ ରହିଛି।

ସୂଚନାଯୋଗ୍ୟ, ଭେଣ୍ଟିଲେଟର ଏଭଳି ସ୍ଥିତିରେ ତିଆରି ହୋଇଛି ଯେଉଁ ସମୟରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ି ଚାଲିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୪ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଉପକରଣର ଘୋର ଅଭାବ ଦେଖିବାକୁ ମିଳୁଛି। ତେଣୁ ଆଇଆଇଟି ରୁଡକୀ ଓ ଏମ୍ସ ହୃଷିକେଶର ଏହି ପ୍ରୟାସ କୌଣସି ବରଦାନଠାରୁ କମ୍ ନୁହେଁ।