ଭାରତ ମସଲା ପକ୍ଷରୁ ପ୍ରମୋଦଙ୍କୁ ମିଳିବ ଭାରତ ଗୌରବ ଓ ମଧୁସ୍ମିତାଙ୍କୁ ଭାରତ ସମ୍ମାନ

କଟକ,ଏନ୍ଏନ୍ଏସ୍: ଚଳିତବର୍ଷ ଭାରତ ଗୌରବ ସମ୍ମାନରେ ସମ୍ମାନିତ ହେବେ ପଦ୍ମଶ୍ରୀ ତଥା ପାରା ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ । ୨୩ ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ବାର୍ଷିକ ଉତ୍ସବ ପବିତ୍ର ଗଣେଶ ପୂଜାରେ ରାମଦାସପୁର ବାରଙ୍ଗଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରମୋଦ ଭାରତଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯିବ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ।

ଦେଶର କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୋଦ ଭଗତଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପ୍ରଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଟୋକିଓ ପାରାଲମ୍ପିକ୍‌ସ ସ୍ବର୍ଣ୍ଣ ଜିତିଥିଲେ ସର୍ଟଲର ପ୍ରମୋଦ । ନିକଟରେ ଥାଇଲାଣ୍ଡରେ ପାରା ବ୍ୟାଡମିଣ୍ଟନରେ ପୁରୁଷ ଯୁଗଳ ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ । ଏହା ପୂର୍ବରୁ ଆୟର୍ଲାଣ୍ଡ ଡବଲିନରେ ଚାଲିଥିବା ଚତୁର୍ଥ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ରେ ଓଡିଆ ତାରକା ପ୍ରମୋଦ ଭଗତ ରୌପ୍ୟ ପଦକ ହାସଲ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ପ୍ରତି ବର୍ଷ ସମ୍ମାନିତ କରିଥାଏ ଭାରତ ମସଲା । କଥା ଭାରତ ସମ୍ମାନରେ ଭୂଷିତ ହେବେ ପ୍ରଫେସର ଡକ୍ଟର ଦାଶରଥୀ ଦାସ । ସେବା ଭାରତ ସମ୍ମାନ ପାଇବେ ଡକ୍ଟର ମନୋରଞ୍ଜନ ପାଣିଗ୍ରାହୀ । କ୍ରୀଡା ଭାରତ ସମ୍ମାନରେ ସମ୍ମାନିତ ହେବେ ମହିଳା କ୍ରିକେଟର ମଧୁସ୍ମିତା ବେହେରା । ଅଭିନେତା ପ୍ରଶାନ୍ତ ନନ୍ଦଙ୍କୁ ମିଳିବ ସଂସ୍କୃତି ଭାରତ ସମ୍ମାନ । ଏଥିସହିତ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟରେ ଶ୍ରେଷ୍ଠ ୩ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଭାରତ ମସଲା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ।

ଦୁଇ ବର୍ଷ ହେବ କୋରୋନା କାଳରେ ସୀମିତ ଅତିଥିଙ୍କ ଗହଣରେ ସଫଳ ବ୍ୟକ୍ତିତ୍ବଙ୍କୁ ଭାରତ ମସଲା ପକ୍ଷରୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ କୋରୋନା କୋପ କମିଥିବାରୁ କାର୍ଯ୍ୟକ୍ରମକୁ ଧୁମଧାନରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଭାରତ ମସଲା । ପ୍ରତିବର୍ଷ ଭାରତ ମସାଲ ପ୍ରତିଷ୍ଠା ଦିବସରେ ସାମାଜିକ କାର୍ଯ୍ୟକ୍ରମ କରି ପାଳନ କରେ । ଗତକାଲି (ବୁଧବାର) ବନ୍ୟାଞ୍ଚଳ ଯାଇ ୩ ହଜାର ପରିବାରକୁ ସହଯୋଗର ହାତ ବଢାଇଛି ବ୍ୟବସାୟିକ ସଂସ୍ଥା ଭାରତ ମସଲା ।