ଗିରଫ ଭୟ, ହାଇକୋର୍ଟରେ ସୌମ୍ୟଜିତଙ୍କ ଆଗୁଆ ଜାମିନ ଆବେଦନ

କଟକ,ଏନ୍ଏନ୍ଏସ୍: ଭୁବନେଶ୍ବରର ସଫ୍ଟୱେର ଇଞ୍ଜିନିୟର ଶେତ୍ବା ଆତ୍ମହତ୍ୟା ମାମଲାରେ କୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ ସୌମ୍ୟଜିତ୍ ମହାପାତ୍ର । ଗିରଫ ଭୟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ସୌମ୍ୟଜିତ । ଶେତ୍ବାଙ୍କ ସହ ତାଙ୍କ ଫୋନ୍‌ ବାର୍ତ୍ତାଳାପ ଭାଇରାଲ ହେବାପରେ ସେ ଫେରାର ହୋଇଯାଇଛନ୍ତି ।

ଶେତ୍ବାଙ୍କ ଆତ୍ମହତ୍ୟା ମାମଲାରେ ପୁଲିସର ସନ୍ଦେହ ଘେରରେ ରହିଛନ୍ତି ସୌମ୍ୟଜିତ । ପରିବାର‌ ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ପରେ ସୌମ୍ୟଜିତ୍ ମହାପାତ୍ରକୁ ଖୋଜୁଛି ପୋଲିସ । କାରଣ ଶ୍ବେତାଙ୍କ ପରିବାର‌ ସୌମ୍ୟଜିତ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଶାରୀରିକ ସମ୍ପର୍କ ରଖିବା ସହ‌ ସୌମ୍ୟଜିତ ଶ୍ବେତାଙ୍କୁ ମାନାସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ‌ । ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ବ୍ଲାକମେଲ କରୁଥିଲେ । ଯୌତୁକ ବାବଦକୁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ ମଧ୍ୟ କରିଥିଲେ । ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ପରବର୍ତ୍ତୀ ସମୟରେ ତାଙ୍କ ବିରୁଦ୍ଧରେ ୩୦୬ ଦଫା ଲଗାଇଥିଲା ପୋଲିସ । ସାମ୍ନାକୁ ଆସିଥିଲା ଏକ ଭାଇରାଲ ଅଡିଓ । ଅଡିଓରେ ଶ୍ବେତା ଓ ସୌମ୍ୟଜିତ ମଧ୍ୟରେ କଥା କଟାକଟି ହେଉଥିବା ଶୁଣିବାକୁ ମିଳିଥିଲା । ଆତ୍ମହତ୍ୟା ପାଇଁ ଉସୁକାଇଥିବାର ମଧ୍ୟ ଶୁଣିବାକୁ ମିଳିଛି । ଯାହାକୁ ନେଇ ଶ୍ବେତାଙ୍କ ମାଆ ତାଙ୍କ ଝିଅଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଥିଲେ । ସୌମ୍ୟଜିତଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏନେଇ ସେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଥିଲେ ଶ୍ବେତାଙ୍କ ମାଆ । ଏହାପରେ ତାଙ୍କର ଗିରଫଦାରୀ ଆଶଙ୍କା ବଢ଼ି ଯାଇଥିଲା । ପରେ ସୌମ୍ୟଜିତ ପୋଲିସ ନଜରରୁ ଖସି ଯାଇଥିଲେ ।

ଅଗଷ୍ଟ ୧୯ ତାରିଖରୁ ମିଳିଥିଲା ଇନଫୋସିସ ଗ୍ରୀନ ଭିଲ୍ଲାରୁ ଶ୍ବେତା କୁମାରୀଙ୍କ ମୃତଦେହ । ମୃତଦେହ ନିକଟରୁ ପୋଲିସ ଜବତ କରିଥିଲା ଶ୍ବେତାଙ୍କ ଡାଏରୀ ସମେତ ତାଙ୍କ ମୋବାଇଲ । ସୌମ୍ୟଜିତଙ୍କ ବିରୋଧରେ ଏହା ବଳିଷ୍ଠ ପ୍ରମାଣ ହୋଇପାରେ । ସେପଟେ ଅଗଷ୍ଟ ୨୨ ତାରିଖ ରାତିରେ ସୌମ୍ୟଜିତଙ୍କ ଘର ଆଗରୁ କେହି ଜଣେ ବାଇକରେ ବସି ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ତେବେ ଯୁବକ ଜଣକ ମୁହଁରେ କପଡ଼ା ବାନ୍ଧିଥିବାରୁ ତାଙ୍କ ପରିଚୟ ମିଳିନାହିଁ । ସେ ସୌମ୍ୟଜିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣା ଆଗକୁ କଣ ମୋଡ ନେଉଛି ତାହା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।