ବିସ୍ଫୋରକ ବୟାନ ଦେଇ ବିବାଦକୁ ଆସିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା କଂଗ୍ରେସ ପକ୍ଷରୁ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବତନ ସାଂସଦ ନବରଙ୍ଗପୁରରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଏ ସମ୍ପର୍କିତ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏକ ବିସ୍ଫୋରକ ବୟାନ୍ ଭିଡିଓ ପଦାକୁ ଆସିଛି ଯାହକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଏହି ବିବାଦୀୟ ବୟାନ୍ ଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଅନୁସାରେ ପ୍ରଦୀପ ମାଝୀ ‘ପେଟ୍ରୋଲ, ଡିଜେଲ ରେଡି କରିଥାଅ, ବୁଝିଲ କି ନାହିଁ, ଡାଇରେକ୍ସନ ଯିବାରେ,ସବୁ ନିଆଁ ମାରିଦେବ ଏବଂ ପରେ ଯାହା ହବ ଦେଖାଯିବ’ ବୋଲି କହିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଏହି ବନ୍ଦ ବେଳେ ନବରଙ୍ଗପୁରର ଆମ୍ବେଦକର ଛକରେ କେତେକ ଦୁର୍ବୃତ୍ତ ଏକ କାର୍ ଜାଳି ଦେଇଥିବା ଜଣାଯାଇଛି। ଏହି ଅଘଟଣକୁ କଂଗ୍ରେସର ବନ୍ଦ ପାଳନ ସହ ଯୋଡ଼ା ଯାଉଥିବାରୁ କାର୍ ପୋଡ଼ି ଅଧିକ ଚର୍ଚ୍ଚାକୁ ଆସିଛି। ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି।