ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୧୧୦ ଅଭିଯୁକ୍ତ ଚିହ୍ନଟ, କ୍ଷୟକ୍ଷତିର ଭରଣ ପାଇଁ ନୋଟିସ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ହୋଇଥିବା ହିଂସାକାଣ୍ଡରେ ୩କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ଏହି ସମ୍ପତ୍ତିର ଭରଣ ପାଇଁ ସରକାର ଏକ ଉପାୟ ବାହାର କରିଛନ୍ତି। ତେବେ ଏଥିରେ ସରକାରଙ୍କ ପକ୍ଷରୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଏହି ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାଥମିକ ପର୍ଯ୍ୟାୟରେ ୧୧୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଟଙ୍କା ଭରଣ ପାଇଁ ସେମାନଙ୍କ ଘରକୁ ନୋଟିସ ମଧ୍ୟ ଜାରି କରାଯାଇଛି।

ଏଡିଏମ୍ ବିବି ମିଶ୍ର କହିଛନ୍ତି ଯେ, ପୁଲିସ ତଦନ୍ତ ଅନୁସାରେ ଭଙ୍ଗାରୁଜା ଏବଂ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଚିହ୍ନଟ ହୋଇଥିବା ଆୟୋଜକ ରାଜନୈତିକ ଦଳ, ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କୁ ନୋଟିସ ଜାରି କରାଯାଇଛି। ତେବେ ଆସନ୍ତା ୩ଦିନ ମଧ୍ୟରେ ସେମାନଙ୍କୁ ଲିଖିତ ଆକାରରେ ନିଜ ପକ୍ଷ ରଖିବାକୁ ହେବ, ନଚେତ ଏହା ପରେ ପ୍ରଶାସନ କ୍ଷତି ଭରଣା ପ୍ରକ୍ରିୟା ଆରମ୍ଭ କରିବ। ଚିହ୍ନଟ ହୋଇଥିବା ଅଭିଯୁକ୍ତମାନଙ୍କଠାରୁ ସମସ୍ତ କ୍ଷତି ଭରଣା କରାଯିବ ଏବଂ ଏହାକୁ ଯିଏ ବାରଣ କରିବ ତାଙ୍କ ଘରର ସମ୍ପତ୍ତିକୁ ବିକ୍ରି କରାଯିବ ବୋଲି ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ସିଏଏ ବିରୋଧରେ ଗତ ଗୁରୁବାର ଉତ୍ତରପ୍ରଦେଶର ହସନଗଞ୍ଜ, ପୁରୁଣା ଲକ୍ଷ୍ନୌର ଆକବରୀ ଗେଟ୍‌, ଠାକୁରଗଞ୍ଜ, ପରବର୍ତ୍ତନ ଚୌକ ଏବଂ କେଡି ବାବୁ ଷ୍ଟାଡିୟମ ନିକଟରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିବା ସହିତ ଗାଡ଼ିମୋଟରରେ ନିଆଁ ଲଗାଇ ଥିଲେ।