ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ତଦନ୍ତ ପରିସର କରାଯାଉ: କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଦୀପ ପାଣିଗ୍ରାହୀଙ୍କ କଳା ଟଙ୍କା କାରବାରର ଚିଠା ଖୋଲିଲେ କଂଗ୍ରେସ ନେତା ତଥା ସୋରଡ଼ାର କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି। ପ୍ରଦୀପଙ୍କ ପାଖେ ବିପୁଳ ସମ୍ପତ୍ତି କେଉଁଠୁ ଆସିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି।

ସେ କହିଛନ୍ତି ଯେ, ସୋରଡ଼ାରୁ-ଦାରିଙ୍ଗବାଡ଼ି ଯିବା ବାଟରେ ମୟାଙ୍ଗି ପାଖରେ ୧୫୦ ଏକର ଜମି ମିଳିତ ଭାବେ ରଖିଛନ୍ତି ପ୍ରଦୀପ । ବ୍ରହ୍ମପୁରର କୋର୍ଟପେଟା ଭିଜିଲାନ୍ସ ଅଫିସ ସମ୍ମୁଖରେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜମି କିଣିଛନ୍ତି। ଏଥିରେ ଚାରି ଜଣ ଭାଗୁଆଳି ଅଛନ୍ତି, ସେଥିରେ ପ୍ରଦୀପଙ୍କ ସାନ ଭାଇଙ୍କ ସମ୍ପୃକ୍ତି ରହିଛନ୍ତି। ପ୍ରଦୀପଙ୍କ ବେଆଇନ୍ କାରବାରରେ ତାଙ୍କ ଶାଳକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସହ ପ୍ରଦୀପଙ୍କ ରହିଛି ଘନିଷ୍ଠ ସମ୍ପର୍କ। ୨୦୦୬ ଗୋଳାବନ୍ଧ ମଦ ମୃତ୍ୟୁ ମାମଲାରେ ସୂର୍ଯ୍ୟ ସାହୁ ଓ ପ୍ରଦୀପଙ୍କ ନାମ ଆସିଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୋରଡ଼ା ବିଧାୟକଙ୍କ ପତ୍ନୀଙ୍କ ନାମରେ ବାଦୁଆ ଅଞ୍ଚଳରେ ବିରାଟ ପୋଖରୀ କରି ମାଛ ଚାଷ କରୁଛନ୍ତି। ଏଥିରେ ମଧ୍ୟ ଗୋପାଳପୁର ବିଧାୟକଙ୍କର ସମ୍ପୃକ୍ତି ରହିଛି। ସୋରଡ଼ା ଋଷିକୂଲ୍ୟା କଲେଜ ନିକଟରେ ଏକ ଟିଭିଏସ୍ ସୋରୁମ ଓ ଏକ ହୋଣ୍ଡା ସୋରୁମ୍ ରହିଛି। ଏଥିରେ ପ୍ରଦୀପଙ୍କ ଅର୍ଥ ବିନିଯୋଗ ହୋଇଛି। ସୋରଡ଼ା ବିଧ୍ୟାୟକ, ପ୍ରଦୀପ ପାଣିଗ୍ରାହୀଙ୍କ ଇଙ୍ଗିତରେ ଓ ସହଯୋଗରେ ସବୁ ବେଆଇନ୍ ସମ୍ପତ୍ତି ହାତେଇଛନ୍ତି। ପ୍ରଦୀପ ପ୍ରାଣିଗ୍ରାହୀଙ୍କ ସମ୍ପତ୍ତିକୁ ନେଇ ଭିଜିଲାନ୍ସ ତଦନ୍ତ କରାଯାଉ।